ରାଜସ୍ଥାନର କୋଟାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨/୧୧: ରାଜସ୍ଥାନର କୋଟାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମହାରାଷ୍ଟ୍ରର ଗୋଟିଏ ପରିବାରର ସଦସ୍ୟମାନେ ଖାଟୁଶ୍ୟାମଜୀଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ । ଏଥିପାଇଁ ସେମାନେ ଏକ କ୍ରୁଜର ଗାଡ଼ିରେ ଯାତ୍ରା କରୁଥିଲେ । ତେବେ କୋଟା-ଉଦୟପୁର ଜାତୀୟ ରାଜପଥର ଶମ୍ଭୁପୁରା ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ଗାଡ଼ି । ଧକ୍କା ଏତେ ଜୋରଦାର ଥିଲା ଯେ, ଗାଡ଼ିରେ ଥିବା ୯ ଜଣଙ୍କ ଜୀବନ ଚାଲିଯାଇଥିଲା । ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୋଟା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ୬ ଜଣଙ୍କ ଚିକିତ୍ସା ଚାଲିଛି । ସୂଚନା ଅନୁଯାୟୀ ସେମାନେ ତିନୋଟି ଗାଡ଼ିରେ ଯାତ୍ରା କରୁଥିଲେ । ଜୟପୁର ଅତିକ୍ରମ କରିବା ପରେ ଖାଇବା ପାଇଁ ଅଟକିଥିଲେ । ଖାଇବା ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ଆଗୁଆ ବାହାରି ଯାଇଥିଲା । ଅନ୍ୟ ଗାଡ଼ିରେ ଥିବା ଲୋକଙ୍କୁ ପରେ ଦୁର୍ଘଟଣା ସମ୍ପର୍କରେ ଫୋନ୍ ଆସିଥିଲା । ଦୁର୍ଘଟଣା ସମୟରେ ଗାଡ଼ିରେ ମୋଟ ୧୬ ଜଣ ଯାତ୍ରା କରୁଥିଲେ । ମୃତକମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ମୃତକଙ୍କ ମୃତଦେହର ପୋଷ୍ଟମର୍ଟମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଖାଟୁଶ୍ୟାମଜୀଙ୍କ ଦର୍ଶନ ପରେ ଖୁସିରେ ଘରକୁ ଫେରୁଥିବା ଗୋଟିଏ ପରିବାର ପାଇଁ ଏହି ଯାତ୍ରା ଶେଷ ଯାତ୍ରା ପାଲଟିଯାଇଛି ।

Leave a Reply

Your email address will not be published. Required fields are marked *