ନୂଆଦିଲ୍ଲୀ,୦୫/୦୮: ଖୁସି ଖବର। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଆରବିଆଇ ଲଗାତାର ପଞ୍ଚମ ଥର ପାଇଁ ରେପୋ ରେଟକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଫଳରେ କୋଟି କୋଟି ଋଣଗ୍ରାହୀଙ୍କୁ ଆରାମ ମିଳିବ ବୋଲି ଆଶା କରାଯାଉଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ୨୦୨୬-୨୭ ଆର୍ଥିକ ବର୍ଷର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ରେପୋ ରେଟ୍କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ମୁଦ୍ରାନୀତି କମିଟି ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟରେ କୌଣସି ପରିବର୍ତ୍ତନ ନ କରାଯିବାରୁ ହୋମ୍ ଲୋନ୍, କାର୍ ଲୋନ୍ ସମେତ ଅନ୍ୟାନ୍ୟ ଋଣର ଇଏମଆଇ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଅର୍ଥାତ୍, ଆପଣ ବର୍ତ୍ତମାନ ଯେତିକି ଇଏମଆଇ ଦେଉଛନ୍ତି, ସେହି ପରିମାଣର ଇଏମଆଇ ହିଁ ଆଗକୁ ମଧ୍ୟ ଦେବାକୁ ପଡ଼ିବ। ଏଥରର ମୁଦ୍ରାନୀତି କମିଟି ବୈଠକରେ ଆରବିଆଇର ମୁଖ୍ୟ ଲକ୍ଷ୍ୟ ଥିଲା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ସହ ଦେଶର ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବ । ଏହି ଘୋଷଣା ପୂର୍ବରୁ ଦେଶର ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା।