ଭୁବନେଶ୍ୱର,୨୫/୦୬:ରଥଯାତ୍ରା ପାଇଁ ଚଳଚଞ୍ଚଳ ହେବାରେ ଲାଗିଲାଣି ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ଦାଣ୍ଡ। ଚଳିତ ବର୍ଷ ରଥଯାତ୍ରା ପାଇଁ ଜୁଲାଇ ୧୩ ତାରିଖରୁ ୨୬ ତାରିଖ ପର୍ୟ୍ୟନ୍ତ ବାରିପଦା ବଡ଼ଦାଣ୍ଡରେ ଆମିଷ ଓ ମଦ ବିକ୍ରି ଉପରେ କଟକଣା ଲଗାଇଛି ପ୍ରଶାସନ। ରଥଖଳାରେ ତିନି ରଥର ନିର୍ମାଣ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଜିଲ୍ଲା ପ୍ରଶାସନ, ପୌରପାଳିକା ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁ ଶ୍ରୀ ହରିବଳଦେବ ଜୀଉଙ୍କ ଘୋଷଯାତ୍ରା ଅବଧି ଅର୍ଥାତ୍ ଜୁଲାଇ ୧୩ରୁ ୨୬ ତାରିଖ ପର୍ୟ୍ୟନ୍ତ ବଡ଼ଦାଣ୍ଡରେ ଆମିଷ ବିକ୍ରି ଓ ଭୋଜନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଖାଲି ସେତିକି ନୁହେଁ ବଡ଼ଦାଣ୍ଡ ପରିସରରେ ଥିବା ସମସ୍ତ ସରକାରୀ ମଦ ଦୋକାନଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।