ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୩୦/୦୮: ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ଭୀଷଣ ବର୍ଷା ଲାଗି ରହିଛି । ଆଉ ଆଗାମୀ ୭୨ ଘଣ୍ଟା ପାଇଁ ଓଡ଼ିଶାକୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ଉତ୍ତର ଓଡ଼ିଶା ପରେ ଏବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଟାର୍ଗେଟ୍ କରିଛି ଲଘୁଚାପ । ରବିବାର ସକାଳୁ ହିଁ ଉତ୍ତର ଓଡ଼ିଶାରେ ଭୀଷଣ ବର୍ଷା ଲାଗି ରହିଛି ।  ମୟୂରଭଞ୍ଜର ବାରିପଦାରେ ସର୍ବାଧିକ ୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ, ଭଦ୍ରକରେ ୪୪ ମିଲିମିଟର ଏବଂ ବାଲେଶ୍ଵରରେ ୪୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ତଳିଆ ଅଞ୍ଚଳରେ ପାଣି ଜମିବା ଦେଖାଦେଇଛି ।

ଉତ୍ତର ଓଡ଼ିଶାରେ ନିଜର ତାଣ୍ଡବ ଦେଖାଇବା ପରେ ଏହି ଲଘୁଚାପ ସିଷ୍ଟମ୍ ଏବେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଆଡ଼କୁ ମୁହାଁଉଛି । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେହିପରି ୧ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଉ ଆସନ୍ତା ୨ ଏବଂ ୩ ତାରିଖରେ ମଧ୍ୟ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଅର୍ଥାତ ଆଗାମୀ ୭୨ ଘଣ୍ଟା ପାଇଁ କାହାକୁ ନିସ୍ତାର ନାହିଁ ।

Leave a Reply

Your email address will not be published. Required fields are marked *