ଭୁବନେଶ୍ୱର,୦୪/୦୭: ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ବେହାଲ ହୋଇପଡ଼ିଛି । ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ ଲୋକଙ୍କ ସୁରକ୍ଷା ଓ ତୁରନ୍ତ ସହାୟତା ପାଇଁ ବିଏମସି ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ବିଏମ୍ସି କମାଣ୍ଡ ଏଣ୍ଡ୍ କଣ୍ଟ୍ରୋଲ ସେଣ୍ଟରରୁ ସହରର ସ୍ଥିତି ଉପରେ ଲଗାତାର ଲାଇଭ୍ ମନିଟରିଂ କରାଯାଉଛି । ଏଥିସହ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ୭ଟି ରାପିଡ୍ ଆକ୍ସନ ଟିମ୍କୁ ୨୪ ଘଣ୍ଟା ଆଲର୍ଟରେ ରଖାଯାଇଛି । ସହରର ୧୭ଟି ସମ୍ବେଦନଶୀଳ ସ୍ଥାନରେ ପାଣି ନିଷ୍କାସନ ପାଇଁ ପମ୍ପସେଟ୍ ବ୍ୟବସ୍ଥା କରାଯାଇଛି । କୌଣସି ଅସୁବିଧା ହେଲେ ନାଗରିକମାନେ ବିଏମ୍ସିର ହେଲ୍ପଲାଇନ୍ ନମ୍ବର ୧୯୨୯ରେ ଯୋଗାଯୋଗ କରିପାରିବେ । ବିଏମସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ଯେଉଁ ସ୍ଥାନରେ ପାଣି ଜମା ହେଉଛି ସେଠାରେ ବିଏମସି କର୍ମଚାରୀଙ୍କୁ ସହଯୋଗ କରନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ହେଲ୍ପଲାଇନ୍ର ସହାୟତା ନିଅନ୍ତୁ ।