ଭୁବନେଶ୍ୱର,୦୪/୦୭: ଆଜି ମହାପ୍ରଭୁଙ୍କ ଅନବସରର ପଞ୍ଚମ ଦିବସ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ଓ ଶ୍ରୀଅଙ୍ଗ ଫିଟା ନୀତି ହେବା ପରେ ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ନିକଟରେ ଲାଗି ହେବ ଫୁଲୁରୀ ତେଲ। ଏନେଇ ବଡଓଡିଆ ମଠ ପକ୍ଷରୁ ଚାଲିଛି ତେଲ ପ୍ରସ୍ତୁତି। ଆଜି ମଧ୍ୟାହ୍ନ ଧୂପ ପରେ ଏହି ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିବା ସହିତ ରାତିରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ। ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଏବେ ଦଇତାପତିମାନେ ଗୁପ୍ତସେବା କରୁଛନ୍ତି । ଜ୍ବରର ଉତ୍ତାପ କମାଇବା ପାଇଁ ପ୍ରଲେପ କରିଥାନ୍ତି ଏହି ଔଷଧୀୟ ତୈଳକୁ । ସ୍ନାନ ପରେ ଅଣସର ଘରେ ପ୍ରଥମ ଦୁଇ ଦିନ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି ବା କାଢିବା ପରେ ତୃତୀୟ ଓ ଚତୁର୍ଥ ଦିବସରେ ଶ୍ରୀଅଙ୍ଗ ଓ ଶ୍ରୀମୁଖ ଫିଟା କରାଯାଇଛି। ଆଜି ପଞ୍ଚମୀରେ ଫୁଲୁରି ଲାଗି କରିବେ ଦଇତାପତି ସେବାୟତ। ଶ୍ରୀଅଙ୍ଗରୁ ଦରଜ କମାଇବା ପାଇଁ ଅଲଭ୍ୟ ଫୁଲୁରୀ ତେଲରେ ମାଲିସ କରିବା ପରେ ପ୍ରଭୁଙ୍କ ମଜରା ହଟିବ। ରାଜା ପ୍ରତାପ ଦେବଙ୍କ ଅମଳରୁ ବଡଓଡିଆ ମଠ ଯୋଗାଇ ଆସୁଛି ଏହି ଫୁଲୁରି ତେଲ ସେବା । ଘଣା ପେଡା ରାଶି ତେଲରେ କେତକୀ, ଜୁଇ ଜାଇ ମାଳତୀ ବକୁଳ ଆଦି ସୁବାସିତ ଫୁଲ କୃଷ୍ଣଭୋଗ ଧାନ ଓ ବେଣା ଚେର ପ୍ରାୟ ୨୭ପ୍ରକାର ଉପାଦାନ ମିଶାଯାଇ ଏହି ତୈଳ ପ୍ରସ୍ତୁତ କରାଯାଏ ।