ଆଜିଠୁ ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ, ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୩୦/୦୭: କେନ୍ଦ୍ରୀୟ ଛତିଶଗଡ଼ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରୁ ଏବେ ଗଭୀର ଅବପାତ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି । ଏହାର ପ୍ରଭାବରେ ଉତ୍ତର-ପଶ୍ଚିମ ଓଡ଼ିଶା ପରେ ଆଜିଠୁ ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ । ଆଜି ପଶ୍ଚିମ ଓଡିଶାର ୩ଟି ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆଜିଠୁ ଆସନ୍ତା ୨୪ ଘଣ୍ଟା ଯାଏଁ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, ନୂଆପଡା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାୟଗଡା, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୩୦ ଜୁଲାଇରୁ ଅଗଷ୍ଟ ୧ ତାରିଖ ଭିତରେ ଅତିପ୍ରବଳ ବର୍ଷାର ବିଶେଷ ସମ୍ଭାବନା ନାହିଁ। କିନ୍ତୁ ହଲକାରୁ ମାଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡି ଏବଂ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ଝଟକା ପବନ ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଜିଲ୍ଲା ସହ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *