ଭୁବନେଶ୍ୱର,୩୦/୦୭: ମହାନଦୀର ଉପର ମୁଣ୍ଡରେ ଲାଗି ରହିଥିବା ପ୍ରବଳ ବର୍ଷା ଏବେ ଚିନ୍ତା ବଢ଼ାଇଛି । ମହାନଦୀରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରୁଛନ୍ତି ରାଜ୍ୟ ସରକାର । ନଦୀର ଜଳସ୍ତର ଧୀରେ ଧୀରେ ବଢ଼ୁଥିବାରୁ ମହାନଦୀ ତଳିଆ ଅଞ୍ଚଳରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ମହାନଦୀର ଶାଖା ନଦୀ ଦେବୀରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେବା ଆରମ୍ଭ ହୋଇଛି । ଦେବୀ ନଦୀ ଧୀରେ ଧୀରେ ଫୁଲୁଥିବାରୁ ନଦୀକୂଳିଆ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ମୁଣ୍ଡଳୀ ଠାରେ ପ୍ରତି ସେକେଣ୍ଡରେ ୮ ଲକ୍ଷ ୧୩ ହଜାର କ୍ୟୁସେକ୍ରୁ ଅଧିକ ବନ୍ୟା ଜଳ ମହାନଦୀକୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ମହାନଦୀର ଶାଖା ନଦୀଗୁଡ଼ିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି । ପୂର୍ଣ୍ଣିମା ତିଥି ଯୋଗୁଁ ସମୁଦ୍ରକୁ ବନ୍ୟା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବାରୁ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ରହିଛି । ଆଜି ମୁଣ୍ଡଳୀରେ ପ୍ରଥମ ବନ୍ୟାଜଳ ପହଞ୍ଚିବ । ଅନ୍ୟପଟେ ବାଙ୍କୀ ହୁଳୁହୁଳା ପୋଲ ଉପରେ ୨ଫୁଟ ପାଣି ଚାଲୁଛି ।