ଭୁବନେଶ୍ୱର,୦୨/୦୯: ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳା ରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମନ୍ଦିରରେ ମାତ୍ର ୨ ଜଣ ପୁଲିସ କର୍ମୀ ଓ ୨ ଜଣ ସୁରକ୍ଷା କର୍ମୀ ନିୟୋଜିତ ଥିବାବେଳେ, ବର୍ତ୍ତମାନ ତାହାକୁ ବୃଦ୍ଧି କରାଯାଇ ୩୦ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ କରାଯିବ। ଭକ୍ତଙ୍କ ସୁରକ୍ଷା ଓ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଏବଂ ମନ୍ଦିର ପରିସରର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ସଫେଇ କର୍ମୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ। ମନ୍ଦିରରେ ପୂର୍ବରୁ ଅଣ-ସେବାୟତଙ୍କ ଦ୍ୱାରା ଭକ୍ତମାନଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦେଶ କରିବା ଏବଂ ଧମକଚମକ ଦେବା ଭଳି ସଙ୍ଗୀନ ଅଭିଯୋଗଗୁଡ଼ିକ କ୍ରମାଗତ ଭାବେ ଆସୁଥିଲା। ଏହି ସମସ୍ୟାର ସ୍ଥାୟୀ ସମଧାନ ପାଇଁ ପ୍ରଶାସନ ଏହି କଡ଼ା ପଦକ୍ଷେପ ନେଇଛି। ଅଳ୍ପଦିନ ଭିତରେ ଏହି ସମସ୍ତ ବ୍ୟବସ୍ଥା କାର୍ୟ୍ୟକାରୀ ହେବ।