ନୂଆଦିଲ୍ଲୀ,୧୧/୧୦: ତାମିଲନାଡୁକୁ ୧୩ ହଜାର କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ଚେନ୍ନାଇସ୍ଥିତ ଆଇଆଇଟି ମାଡ୍ରାସରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦୀ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ରାଜ୍ୟର ବିକାଶ ସମ୍ପର୍କିତ ଅନେକ ଦାବି ପ୍ରଧାନମନ୍ତ୍ରୀଙ୍କ ଆଗରେ ରଖିଛନ୍ତି।ମୁଖ୍ୟମନ୍ତ୍ରୀ ବିଜୟ ସମଗ୍ର ଶିକ୍ଷା ଅଭିଯାନ (ଏସ୍ଏସ୍ଏ) ଅଧୀନରେ ରାଜ୍ୟକୁ ମିଳିବାକୁ ଥିବା ୫,୧୧୦ କୋଟି ଟଙ୍କାର ବକେୟା କେନ୍ଦ୍ରୀୟ ଅର୍ଥ ତୁରନ୍ତ ଜାରି କରିବାକୁ ଅନୁରୋଧ କରିଛନ୍ତି। ଏହା ସହିତ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟକୁ ଶୀଘ୍ର ମଞ୍ଜୁରୀ ଦେବାକୁ ଦାବି କରିଛନ୍ତି। ଏହି ପର୍ଯ୍ୟାୟରେ ବିମାନବନ୍ଦର-କିଲାମ୍ବାକ୍କମ୍ ଏବଂ ପୁନମଲ୍ଲୀ-ସୁଙ୍ଗୁଭାରଚତ୍ରମ୍ ଭଳି ଅଞ୍ଚଳକୁ ମେଟ୍ରୋ ସଂଯୋଗ କରିବାର ଯୋଜନା ରହିଛି।