ନୂଆଦିଲ୍ଲୀ,୧୧/୧୦: ନେପାଳରେ ପୁଣି ପ୍ରକୃତିର କରାଳ ରୂପ । ଚାହୁଁ ଚାହୁଁ ପାଣିରେ ଭାସିଗଲା ଘର । ଗତ ଅଗଷ୍ଟ ୨୬ରେ ନେପାଳ ବନ୍ୟା ବିଭୀଷିକା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ଆଜି ଭୋର୍ରୁ ଆଉ ଏକ ବନ୍ୟା ତାଣ୍ଡବ ଦେଖିବାକୁ ମିଳିଛି । ଗତଥର ବିଭୀଷିକାର କେନ୍ଦ୍ରସ୍ଥଳ ପାଲଟିଥିବା ରସୁୱା ଠାରୁ ଦେଢ଼ଶହ କିଲୋମିଟର ଦୂର ଗୋରଖା ଜିଲ୍ଲାରେ ଆଜି ବ୍ୟାପକ କ୍ଷୟକ୍ଷତି ଘଟାଇଛି ବୁଢ଼ିଗଣ୍ଡକି ନଦୀ । ଭୋର୍ ୪ଟାରୁ ସକାଳ ୬ଟା ଭିତରେ ଅଚାନକ ବନ୍ୟାଜଳ ମାଡ଼ିଆସି ଚୁମନୁବ୍ରି ଅଞ୍ଚଳର ୪୦ରୁ ଅଧିକ ଘର ଧୋଇନେବା ସହ ୬ଟି ପୋଲ ଭସାଇ ନେଇଛି । ୧୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।ଘାଟ୍ଟେର ଅଞ୍ଚଳରେ ଅନେକ ଘର ବନ୍ୟା ପାଣିରେ ବୁଡ଼ି ଯାଇଛି । ନଦୀର ଜଳସ୍ତର ବୃଦ୍ଧି ପାଉଛି । ନେପାଳ ସେନା, ପୁଲିସ ଓ ସଶସ୍ତ୍ର ବାହିନୀ ଉଦ୍ଧାରକାର୍ୟ୍ୟ ଚଳାଇଛନ୍ତି । ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ହେଲିକପ୍ଟର ନିୟୋଜିତ ହୋଇଛି ।