ଭୁବନେଶ୍ୱର, ୨୪/୧୦: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ କାରକେଡ୍ ରିହର୍ସାଲ୍ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କିପରି ସୁଦୃଢ଼ ରଖାଯିବ, ସେନେଇ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଉଛି ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୯୬ ପ୍ଲାଟୁନ୍ ପୁଲିସ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ୨୨୩ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସହ ୭୧ ଜଣ ଆଇଆଇସି ନିୟୋଜିତ ହେବେ । ଏହାସହ ୩୭ ଜଣ ଏଏସ୍ପି ଓ ଡିଏସ୍ପି, ୨୦ ଜଣ ଅତିରିକ୍ତ ଏସ୍ପି ଓ ଡିସିପି ପାହ୍ୟାର ଅଧିକାରୀ ମଧ୍ୟ ସୁରକ୍ଷା ଦାୟିତ୍ୱ ତୁଲାଇବେ । ସେହିପରି ୧୦ ଜଣ ଏସ୍ପି, ଡିସିପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କ ସହ ୩ ଜଣ ଡିଆଇଜି ପାହ୍ୟାର ଅଧିକାରୀ ନିୟୋଜିତ ହେବେ । ଜଣେ ଆଇଜି ପାହ୍ୟାର ଅଧିକାରୀ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଜଟଣୀର ଇନଫୋ ଭ୍ୟାଲି-୨ଠାରେ ନବନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଏବଂ ‘ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଆଣ୍ଡ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍’ର ଉଦ୍ଘାଟନ କରିବେ ।