ନୂଆଦିଲ୍ଲୀ,୩୧/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିପାଇଁ ୩.୧୫ ଲକ୍ଷ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ୨୦୧୯ ଫେବ୍ରୁଆରିରେ ଏହି ଯୋଜନା ଆରମ୍ଭ ହୋଇଥିଲା । ଯେଉଁଥିରେ ଯୋଗ୍ୟ ଚାଷୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।ଇତି ମଧ୍ୟରେ ୨୩ଟି କିସ୍ତିରେ ୪.୪୭ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଖାତାରେ ଜମା କରାଯାଇଛି।
ଅନ୍ୟପଟେ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ୪୮,୦୪୮ କୋଟି ଟଙ୍କା ଅଟକଳ ବିଶିଷ୍ଟ ସମୁଦ୍ର ମନ୍ଥନ ଯୋଜନାକୁ ଅନୁମୋଦନ କରାଯାଇଛି। ସେହିପରି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ ମଧ୍ୟ ମଞ୍ଜୁର କରାଯାଇଛି। ଏହି ଯୋଜନାରେ ପାଞ୍ଚ ବର୍ଷରେ ୫୦୦୦ ମେଗାୱାଟ୍ ଭାସମାନ ସୌର ଶକ୍ତି କ୍ଷମତା ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି।