ଭୁବନେଶ୍ୱର, ୧୪/୧୧: ବଲାଙ୍ଗୀରରେ ଆବାସ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଓଡ଼ିଶା ପାଇଁ ନୂତନ ଆବାସ ଘୋଷଣା କରାଯାଇଛି । କେନ୍ଦ୍ର ସରକାର ପୂର୍ବରୁ ୪ ଲକ୍ଷ ଘର ମଞ୍ଜୁର କରିଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଜି ତତ୍କାଳ ଆଉ ୧ ଲକ୍ଷ ଘର ମଞ୍ଜୁର କରିଛନ୍ତି ଶିବରାଜ । ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି । ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଛାତ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବଲାଙ୍ଗିରର ଏହି ମଞ୍ଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ । କହିଛନ୍ତି- ପ୍ରଧାନମନ୍ତ୍ରୀ ଆବାସରୁ ଲୋକଙ୍କୁ ବଞ୍ଚିତ କରି ବିଜେଡି ପାପ କରିଛି । ଯୋଜନାର ନାଁ ଓ ଲୋଗୋ ବଦଳାଇବା ଏବଂ ହିତାଧିକାରୀ ତାଲିକା ପ୍ରସ୍ତୁତିରେ ବିଫଳତା ପ୍ରସଙ୍ଗ ଉଠାଇଛନ୍ତି ଶିବରାଜ ।
ବଲାଙ୍ଗୀର ସହର ପଥରଚେପା ପଡ଼ିଆରେ ଆୟୋଜିତ ହୋଇଥିଲା ବିଶାଳ ରାଜ୍ୟସ୍ତରୀୟ ଆବାସ ବଣ୍ଟନ କାର୍ଯ୍ୟକ୍ରମ । ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ପାଇଁ ପ୍ରାୟ ୯୧୧ କୋଟି ଟଙ୍କାର ୨୪୮ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗ ଦେଇଥିଲେ । ୨୦୧୪-୧୫ରୁ ରାଜ୍ୟରେ ୪୧ ଲକ୍ଷରୁ ଅଧିକ, ଗତ ଦୁଇ ବର୍ଷରେ ୫.୬୬ ଲକ୍ଷ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ।