ଭୁବନେଶ୍ୱର,୧୦/୦୭: ରାଜ୍ୟରେ ଏଥର ନିର୍ଦ୍ଧାରିତ ସମୟରେ ହୋଇ ନପାରେ ପଞ୍ଚାୟତ ନିର୍ବାଚନ । ୨୦୨୭ ଜନଗଣନା ପରେ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିବାକୁ ଯାଉଛି । ଏହାସହ ପ୍ରଥମ ଥର ପାଇଁ ଡୋର-ଟୁ-ଡୋର ସର୍ଭେ କରି ବୁଥ୍ୱାଇଜ୍ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି । ଏନେଇ ନିର୍ବାଚନ ପ୍ରସ୍ତୁତି ଜୋରଦାର ହୋଇଛି । ସୂଚନା ଅନୁସାରେ, ୨୦୨୭ ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହାପରେ ଜୁନ୍ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତି ଚାଲିଛି । ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାର ପୂର୍ବରୁ ଆରଡିସି ଓ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିସାରିଛନ୍ତି । ଆସନ୍ତା ୨୧ ତାରିଖରେ ପୁଣିଥରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ବସିବ । ଏଥିରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଓ କାର୍ଯ୍ୟଯୋଜନା ଉପରେ ଆଲୋଚନା ହେବ । ପ୍ରଥମ ଥର ପାଇଁ ଡୋର-ଟୁ-ଡୋର ସର୍ଭେ କରାଯିବ। ଏହାସହ ‘ଆମ ବୁଥ୍, ଆମ ବାରି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ବୁଥ୍ର ଭୋଟରଙ୍କ ସୂଚନା ସଂଗ୍ରହ କରାଯିବ । ଏହି ସର୍ଭେ ପରେ ଭୋଟର ତାଲିକାକୁ ସଂପୂର୍ଣ୍ଣ ଅଦ୍ୟତନ କରାଯିବ ଏବଂ ବୁଥ୍ୱାଇଜ୍ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ ହେବ । ଏହାଫଳରେ ପ୍ରତ୍ୟେକ ଭୋଟର ନିଜ ଅଞ୍ଚଳର ବୁଥ୍ରେ ହିଁ ମତଦାନ କରିପାରିବେ । ଏହି ପଦକ୍ଷେପ ଭୋଟଦାନ ହାର ବଢ଼ାଇବା ସହ ନିର୍ବାଚନ ପରିଚାଳନାକୁ ଆହୁରି ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି ।