ଭୁବନେଶ୍ୱର,୨୯/୦୭: ସରକାରୀ ଗାଡ଼ି ବ୍ୟବହାରକୁ ନେଇ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ନିୟମ । ଏଣିକି ଜଣେ ବରିଷ୍ଠ ଅଧିକାରୀଙ୍କ ପାଇଁ ରହିବ ଗୋଟିଏ ମାତ୍ର ସରକାରୀ ଗାଡ଼ି । ଅତିରିକ୍ତ ଦାୟିତ୍ୱରେ ଅନ୍ୟ କୌଣସି ମନ୍ତ୍ରଣାଳୟ, ବିଭାଗ, ପିଏସ୍ୟୁ କିମ୍ବା ସ୍ୱୟଂଶାସିତ ସଂସ୍ଥାର ଦାୟିତ୍ୱ ମିଳିଲେ ମଧ୍ୟ ଆଉ ଏକ ସରକାରୀ ଗାଡ଼ି ଦିଆଯିବ ନାହିଁ । ସରକାରୀ ସମ୍ପତ୍ତିର ଦୁରୁପଯୋଗ ରୋକିବା, ଅନାବଶ୍ୟକ ଖର୍ଚ୍ଚ କମାଇବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଏହି ନିର୍ଦ୍ଦେଶ ଜାରି କରିଛି ।ନୂଆ ନିୟମ ଅନୁସାରେ, ଯେଉଁ ଅଧିକାରୀଙ୍କୁ ପୂର୍ବରୁ ସରକାରୀ ଗାଡ଼ି ମିଳିଛି, ସେ ଅନ୍ୟ କୌଣସି ବିଭାଗର ଅତିରିକ୍ତ ଦାୟିତ୍ୱ ନେଲେ ମଧ୍ୟ ଦ୍ୱିତୀୟ ଗାଡ଼ି ପାଇବେ ନାହିଁ । ଆଗରୁ ମିଳିଥିବା ଗାଡ଼ିକୁ ହିଁ ବ୍ୟବହାର କରିବେ । ଏହା ସହ କେନ୍ଦ୍ର ସରକାରୀ ଅଧିକାରୀମାନେ ପିଏସ୍ୟୁ, ସ୍ୱୟଂଶାସିତ ସଂସ୍ଥା କିମ୍ବା ଅର୍ଦ୍ଧ ସରକାରୀ ସଂଗଠନର ଗାଡ଼ି ବ୍ୟବହାର କରିପାରିବେ ନାହିଁ । କେବଳ ସରକାରୀ କାର୍ଯ୍ୟ କିମ୍ବା ଅନୁମୋଦିତ ଯାତ୍ରା ସମୟରେ ଏହା ବ୍ୟବହାର କରାଯାଇପାରିବ ।