ନୂଆଦିଲ୍ଲୀ,୧୬/୧୦: ବିଦାୟ ନେଇଛନ୍ତି ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି। ଏହି ଅବସରରେ ଆଜି ଲୋକଭବନରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଲୋକଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟପାଳଙ୍କୁ ସମ୍ମାନ ଜଣାଇବା ସହ ତାଙ୍କର ଆଗାମୀ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ରାଜ୍ୟପାଳଙ୍କ ସହ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ। ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧିତ କରି ରାଜ୍ୟପାଳ ଓଡ଼ିଶାରେ ନିଜର ଏକ ବର୍ଷ ନଅ ମାସର କାର୍ଯ୍ୟକାଳର ଅନୁଭୂତି ବଖାଣିଥିଲେ। ଓଡ଼ିଶାରେ ବିତାଇଥିବା ସମୟ ତାଙ୍କ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ସେ କହିଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟକାଳର ଅନ୍ତିମ ପର୍ଯ୍ୟାୟରେ ଆୟୋଜିତ ଏହି ବିଦାୟୀ ସମାରୋହ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଥିଲା । ଶେଷରେ ଉପସ୍ଥିତ ସମସ୍ତେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।