MMDR, SIR ଓ ବହି ତ୍ରୁଟି ପ୍ରସଙ୍ଗ: ଆସନ୍ତା ୮ ତାରିଖରେ ସମଗ୍ର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର,୨୯/୦୯ : ବିଜେପି ସରକାର ବିରୋଧରେ ବଡ଼ ଧରଣର ଆନ୍ଦୋଳନ ଲାଗି ଅଣ୍ଟା ଭିଡ଼ିଛି କଂଗ୍ରେସ ଓ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଆସନ୍ତା ଅକ୍ଟୋବର ୮ ତାରିଖରେ ସମଗ୍ର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବିବାଦୀୟ MMDR ଆଇନ ସଂଶୋଧନ, ସ୍କୁଲ ପାଠ୍ୟପୁସ୍ତକରେ ବହିତ୍ରୁଟି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ପାଳନ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଛନ୍ତି ଯେ, ରାଜ୍ୟର ଖଣି ସମ୍ପଦର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ କୌଣସି ପ୍ରକାର ବୁଝାମଣା କରିବ ନାହିଁ । MMDR ସଂଶୋଧନ ଆଇନ ରାଜ୍ୟ ଅର୍ଥନୀତି ଉପରେ କୁଠାରଘାତ କରିବ । ସେହିପରି ବିଦ୍ୟାଳୟ ପାଠ୍ୟପୁସ୍ତକରେ ଦେଖାଦେଇଥିବା ସାଂଘାତିକ ତ୍ରୁଟି ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି । ଏଥିସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ ମୁଖ୍ୟ ନିର୍ବାଚନ କମିସନର ନୈତିକତା ଦୃଷ୍ଟିରୁ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏହି ବନ୍ଦ ଡାକରାକୁ ସଫଳ କରିବାକୁ ପିସିସି ସଭାପତି ଆହ୍ୱାନ ଦେଇଛନ୍ତି । ଏହି ଲଢ଼େଇ କେବଳ ଏକ ରାଜନୈତିକ ମେଣ୍ଟର ନୁହେଁ, ବରଂ ସାରା ଓଡ଼ିଶାବାସୀଙ୍କ ଅଧିକାରର ଲଢ଼େଇ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟର ସମସ୍ତ ବୁଦ୍ଧିଜୀବୀ, ବ୍ୟବସାୟୀ, ଛାତ୍ର, ଯୁବକ ତଥା ସାଧାରଣ ନାଗରିକଙ୍କୁ ଅକ୍ଟୋବର ୮ରେ ହେବାକୁ ଥିବା ଓଡ଼ିଶା ବନ୍ଦରେ ପୂର୍ଣ୍ଣ ସହଯୋଗ କରିବାକୁ ଭକ୍ତ ଦାସ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *