ଭୁବନେଶ୍ୱର,୨୯/୦୯: ମାତ୍ର ପାଞ୍ଚ ଘଣ୍ଟାରେ ସରିଗଲା ବିଧାନସଭାର ମୌସୁମୀ ଅଧିବେଶନ। ନା ଆଲୋଚନା ହେଲା, ନା କିଛି ନିଷ୍କର୍ସ ବାହାରିଲା। ଏଥିପାଇଁ ପରସ୍ପରକୁ ଦୋଷ ଦେଉଛନ୍ତି ଶାସକ ଓ ବିରୋଧୀ। ରାଜ୍ୟର ସ୍ବାର୍ଥ ସମ୍ପର୍କିତ ପୁଳା ପୁଳା ପ୍ରସଙ୍ଗ ଥିଲା । ଚାଷୀ ସମସ୍ୟା, ଆଇନ ଶୃଙ୍ଖଳା, ଦରଦାମ୍ ବୃଦ୍ଧି, ବର୍ଷା-ବନ୍ୟା କ୍ଷୟକ୍ଷତି, ଏମ୍ଏମ୍ଡିଆର୍, ପାଠ୍ୟ ପୁସ୍ତକ ଭଳି ବର୍ଣ୍ଣି ଇସ୍ୟୁ ଥିଲା । ଲାଗୁଥିଲା ଚର୍ଚ୍ଚା ହେବ, ବିଧାନସଭାରେ ନିଷ୍କର୍ସ ବାହାରିବ । ହେଲେ ବିଧାନସଭାରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଲା । ଅବଶିଷ୍ଟ ୪ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ମୁଲତିବ କଲେ ବାଚସ୍ପତି । ସବୁଠୁଁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୫ ଦିନରେ ୫ ଘଂଟା ଚାଲିଥିଲା ମୌସୁମୀ ଅଧିବେଶନ । ଶେଷ ଦିନରେ ମାତ୍ର କିଛି ଘଂଟା ଚାଲିଥିଲା ଗୃହ କାର୍ଯ୍ୟ । ଅନ୍ୟ ପଟେ ବିନା ବିରୋଧୀରେ ବିଧାନସଭାରେ ଚାରୋଟି ବିଲ ପାରିତ ହେଲା ।
ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ହଟ୍ଟଗୋଳ, ନାରାବାଜି ହଲ୍ଲାବୋଲରେ କମ୍ପିଥିଲା ବିଧାନସଭା। ଗୃହ ଭିତରେ କମ୍, ଗୃହ ବାହାରେ ଗର୍ଜିଥିଲେ ବିରୋଧୀ। ଗୃହ ଛାଡ଼ି ବିଜେଡି କେତେବେଳେ ଓଏମସି, କେତେବେଳେ ଲୋୟର ପିଏମଜି, ଆଉ କେତେବେଳେ ଏଜି ଛକରେ ପ୍ରତିବାଦ କରିଥିଲା। ସେହିପରି କଂଗ୍ରେସ ବିଧାୟକ ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ରଣହୁଙ୍କାର ଦେଇଥିଲେ।