ପ୍ରଥମ ଦିନରୁ ଗୃହରେ ବିରୋଧୀଙ୍କ ହୋହଲ୍ଲା, ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର,୧୮/୧୧: ଶୀତ ଅଧିବେଶନର ପ୍ରଥମ ଦିନରୁ ଗୃହରେ ବିରୋଧୀଙ୍କ ହୋହଲ୍ଲା । କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକମାନେ ୱେଲ୍‌କୁ ଆସି ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଫଳରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତ ଅଧିବେଶନରେ ମୋଟ୍‌ ୩୩ଟି କାର୍ଯ୍ୟଦିବସ ରହିଛି । ତେବେ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ହିଁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଅଧିବେଶନ ଆରମ୍ଭରେ ଦିବଂଗତ ସଦସ୍ୟ ଓ ଅନ୍ୟ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ସେହିପରି ଗତ ୨୯ ତାରିଖରେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟା ଏବଂ ଗିଡ଼ିପାବାଲି ଗାଁରେ ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମଧ୍ୟ ଶୋକ ପ୍ରକାଶ କରାଯାଇଥିଲା । ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ କରିବା ସହ ଦିବଙ୍ଗତ ପରିବାର ପ୍ରତି ସମବେଦନା ଜଣାଇଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ଶୋକ ପ୍ରକାଶ କରିଥିଲେ । ଶୋକ ପ୍ରସ୍ତାବ ପରେ ଗୃହରେ ହଙ୍ଗାମା ଆରମ୍ଭ ହୋଇଥିଲା ।

 

Leave a Reply

Your email address will not be published. Required fields are marked *