ନୂଆଦିଲ୍ଲୀ,୧୮/୧୧: ମଧ୍ୟପ୍ରଦେଶରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କ୍ୟାବିନେଟର ନିଷ୍ପତ୍ତି ଘୋଷଣା କରି କହିଥିଲେ ଯେ, ରାଜ୍ୟରେ ସରକାରୀ ଚାକିରି ପାଇଁ ଦୁଇ ସନ୍ତାନ ସୀମା ଉଚ୍ଛେଦ କରାଯାଇଛି। ତିନୋଟି ସନ୍ତାନ ଥିବା ପିତାମାତା ମଧ୍ୟ ମଧ୍ୟପ୍ରଦେଶରେ ସରକାରୀ ଚାକିରି ପାଇପାରିବେ । ଦୁଇ ସନ୍ତାନର ସୀମା ୨୦୦୧ ମସିହାରେ ଦିଗବିଜୟ ସିଂହଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦ୍ୱାରା ଲାଗୁ କରାଯାଇଥିଲା । କିନ୍ତୁ ୨୫ ବର୍ଷ ପରେ ମୋହନ ଯାଦବଙ୍କ ସରକାର ଏହି ନିୟମକୁ ଉଚ୍ଛେଦ କରିଛନ୍ତି ।ଯେତେବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର କ୍ଷମତାରେ ଥିଲା ଏବଂ ଦିଗବିଜୟ ସିଂହ ମୁଖ୍ୟମନ୍ତ୍ରୀ ଥିଲେ ସେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦୁଇ ସନ୍ତାନ ନିୟମ ପ୍ରଣୟନ କରିଥିଲେ। ପରବର୍ତ୍ତୀ ସମୟରେ ତୃତୀୟ ସନ୍ତାନ ଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ନିୟମ ନୂତନ ନିଯୁକ୍ତି ପାଇଁ ମଧ୍ୟ ଲାଗୁ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବେ ଏହି ନିୟମରେ ପରିବର୍ତ୍ତନ କରିଛନ୍ତି।