ନୂଆଦିଲ୍ଲୀ,୩୦/୦୮: ନେପାଳ-ତିବ୍ବତ ସୀମାନ୍ତ ନିକଟରେ ଗ୍ଲେସିୟର ଭାଙ୍ଗି ଭୋଟେକୋଶୀ ନଦୀରେ ଆସିଥିବା ଭୟଙ୍କର ଆକସ୍ମିକ ବନ୍ୟାକୁ ୫ ଦିନ ବିତିଛି । ହେଲେ ଏବେ ବି ମାଟି ଓ ବାଲି ତଳେ ଚାଲିଛି ମୃତଦେହ ଖୋଜା । ବଡ଼ ବଡ଼ ଜେସିବି ମେସିନ ସହାୟତାରେ ଦିନରାତି ମାଟିମଟାଳ ହଟାଇ ନିଖୋଜଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ । ବନ୍ୟାରେ ମୃତ୍ୟୁସଂଖ୍ୟା ୭୮୦ ଟପିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି ।ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ରେସ୍କ୍ୟୁ ଅପରେସନରେ ପ୍ରାୟ ୨୦ ହଜାର ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ନିକଟରେ ହେଲିକପ୍ଟର ଯୋଗେ ରିଲିଫ୍ ସାମଗ୍ରୀ ପହଞ୍ଚାଯାଉଛି । ବିଭିନ୍ନ ଦେଶରୁ ଆସିଥିବା ରିଲିଫ୍ ସାମଗ୍ରୀ ମଧ୍ୟ କାଠମାଣ୍ଡୁରେ ପହଞ୍ଚିଛି ।