ନଅ ଦିନ, ନଅ ସ୍ୱରୂପ, ଗୋଟିଏ ମହାଶକ୍ତି; ଜାଣନ୍ତୁ ମା’ ଦୁର୍ଗା କେଉଁ ଦିନ ହୁଅନ୍ତି କେଉଁ ବେଶ?

ଭୁବନେଶ୍ୱର,୧୪/୧୦: ନବରାତ୍ରି ହେଉଛି ଆଦିଶକ୍ତି ମା’ ଦୁର୍ଗାଙ୍କ ଆରାଧନାର ଏକ ପବିତ୍ର ପର୍ବ। ‘ନବ’ ଅର୍ଥ ନଅ ଏବଂ ‘ରାତ୍ରି’ ଅର୍ଥ ରାତି। ଏହି ନଅ ଦିନରେ ମା’ ଦୁର୍ଗାଙ୍କ ନଅଟି ଦିବ୍ୟ ସ୍ୱରୂପଙ୍କୁ ପୂଜା କରାଯାଏ। ଭକ୍ତମାନେ ଉପବାସ, ପୂଜାପାଠ, ମନ୍ତ୍ରଜପ ଓ ଦୀପଦାନ ମାଧ୍ୟମରେ ମା’ଙ୍କ ଆଶୀର୍ବାଦ ଲାଭ କରିବା ସହ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରନ୍ତି। ଓଡ଼ିଶାରେ ନବରାତ୍ରି ସମୟରେ ମା’ ଦୁର୍ଗାଙ୍କ ଆରାଧନା ସହିତ ବିଭିନ୍ନ ଶକ୍ତିପୀଠରେ ସ୍ୱତନ୍ତ୍ର ପୂଜାବିଧି ପାଳନ କରାଯାଏ। କଟକ, ଭୁବନେଶ୍ୱର ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଦୁର୍ଗାପୂଜା ମଣ୍ଡପଗୁଡ଼ିକ ଆକର୍ଷଣୀୟ ତୋରଣ, ସୁନ୍ଦର ମେଢ଼ ଓ ମା’ଙ୍କ ବିଭିନ୍ନ ବେଶରେ ସଜେଇ ହୋଇଥାଏ। ଓଡ଼ିଶାରେ ଶାରଦୀୟ ଦୁର୍ଗାପୂଜା ସମୟରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ମହାଷ୍ଟମୀ, ମହାନବମୀ ଓ ବିଜୟାଦଶମୀର ବିଶେଷ ମହତ୍ତ୍ୱ ରହିଛି। ନବରାତ୍ରି କେବଳ ପୂଜାପାଠର ପର୍ବ ନୁହେଁ; ଏହା ଅନ୍ୟାୟ ଉପରେ ନ୍ୟାୟର, ଅନ୍ଧକାର ଉପରେ ଆଲୋକର ଏବଂ ଅହଂକାର ଉପରେ ନମ୍ରତାର ବିଜୟର ବାର୍ତ୍ତା ଦିଏ। ମା’ ଦୁର୍ଗାଙ୍କ ନଅଟି ସ୍ୱରୂପ ଆମକୁ ଧୈର୍ଯ୍ୟ, ସାହସ, ମମତା, ଶାନ୍ତି ଓ ଆତ୍ମବିଶ୍ୱାସର ଶିକ୍ଷା ଦେଇଥାଏ।

ପ୍ରଥମ ଦିନ — ମା’ ଶୈଳପୁତ୍ରୀ : ପର୍ବତରାଜ ହିମାଳୟଙ୍କ କନ୍ୟା ମା’ ଶୈଳପୁତ୍ରୀ। ତାଙ୍କୁ ଶକ୍ତି, ଦୃଢ଼ତା ଓ ନୂତନ ଆରମ୍ଭର ପ୍ରତୀକ ଭାବେ ପୂଜା କରାଯାଏ।
ଦ୍ୱିତୀୟ ଦିନ — ମା’ ବ୍ରହ୍ମଚାରିଣୀ: ତପସ୍ୟା, ସଂଯମ ଓ ଧୈର୍ଯ୍ୟର ପ୍ରତୀକ ମା’ ବ୍ରହ୍ମଚାରିଣୀ। ତାଙ୍କ ପୂଜା ମନୁଷ୍ୟକୁ ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପର ପ୍ରେରଣା ଦିଏ।
ତୃତୀୟ ଦିନ — ମା’ ଚନ୍ଦ୍ରଘଣ୍ଟା: ମା’ଙ୍କ କପାଳରେ ଅର୍ଦ୍ଧଚନ୍ଦ୍ର ଘଣ୍ଟା ଆକୃତିରେ ଶୋଭା ପାଉଥିବାରୁ ସେ ଚନ୍ଦ୍ରଘଣ୍ଟା ନାମରେ ପରିଚିତ। ସାହସ ଓ ନିର୍ଭୀକତାର ପ୍ରତୀକ ହେଉଛନ୍ତି ମା’।
ଚତୁର୍ଥ ଦିନ — ମା’ କୁଷ୍ମାଣ୍ଡା: ଧାର୍ମିକ ବିଶ୍ୱାସ ଅନୁସାରେ ମା’ କୁଷ୍ମାଣ୍ଡା ନିଜ ଦିବ୍ୟ ହସରେ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ। ସେ ସୃଜନଶୀଳତା, ଶକ୍ତି ଓ ଉଜ୍ଜ୍ୱଳତାର ପ୍ରତୀକ।
ପଞ୍ଚମ ଦିନ — ମା’ ସ୍କନ୍ଦମାତା: ଭଗବାନ କାର୍ତ୍ତିକେୟ ବା ସ୍କନ୍ଦଙ୍କ ମାତା ହେଉଛନ୍ତି ମା’ ସ୍କନ୍ଦମାତା। ମାତୃତ୍ୱ, ସ୍ନେହ ଓ କରୁଣାର ପ୍ରତୀକ ଭାବେ ତାଙ୍କୁ ପୂଜା କରାଯାଏ।
ଷଷ୍ଠ ଦିନ — ମା’ କାତ୍ୟାୟନୀ: ମା’ କାତ୍ୟାୟନୀ ହେଉଛନ୍ତି ସାହସ, ପରାକ୍ରମ ଓ ଅନ୍ୟାୟ ବିରୋଧରେ ସଂଘର୍ଷର ପ୍ରତୀକ। ଭକ୍ତମାନେ ତାଙ୍କୁ ଶତ୍ରୁ ଓ ବାଧା ଦୂର କରିବା ପାଇଁ ଆରାଧନା କରନ୍ତି।
ସପ୍ତମ ଦିନ — ମା’ କାଳରାତ୍ରୀ: ମା’ଙ୍କ ଏହି ଭୟଙ୍କର ରୂପ ଅନ୍ଧକାର, ଅଜ୍ଞାନ ଓ ଅଶୁଭ ଶକ୍ତିର ବିନାଶକୁ ସୂଚାଏ। ସେ ଭୟ ଦୂର କରି ଭକ୍ତଙ୍କୁ ଅଭୟ ପ୍ରଦାନ କରନ୍ତି ବୋଲି ବିଶ୍ୱାସ ରହିଛି।
ଅଷ୍ଟମ ଦିନ — ମା’ ମହାଗୌରୀ: ଶାନ୍ତି, ପବିତ୍ରତା ଓ କ୍ଷମାର ପ୍ରତୀକ ମା’ ମହାଗୌରୀ। ତାଙ୍କ ପୂଜା ଦ୍ୱାରା ଜୀବନରେ ସୁଖ ଓ ଶାନ୍ତି ମିଳେ ବୋଲି ଭକ୍ତମାନଙ୍କ ବିଶ୍ୱାସ।
ନବମ ଦିନ — ମା’ ସିଦ୍ଧିଦାତ୍ରୀ: ମା’ ସିଦ୍ଧିଦାତ୍ରୀ ସିଦ୍ଧି, ଜ୍ଞାନ ଓ ଆଧ୍ୟାତ୍ମିକ ପୂର୍ଣ୍ଣତାର ପ୍ରତୀକ। ନବରାତ୍ରିର ଶେଷ ଦିନରେ ତାଙ୍କ ଆରାଧନା କରାଯାଏ।

Leave a Reply

Your email address will not be published. Required fields are marked *