ନୂଆଦିଲ୍ଲୀ,୨୨/୦୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ତାଙ୍କ ପଦରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପର୍ୟ୍ୟନ୍ତ ସେ ଏହି ପଦବୀରେ ରହିବେ। ଜାତି ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ସେ ଲୋକଙ୍କୁ ସୂଚନା ଦେଇଛନ୍ତି ଯେ, ସେ ଏହି ବିଷୟରେ ରାଜା ଚାର୍ଲ୍ସ ତୃତୀୟଙ୍କ ସହ କଥା ହୋଇଛନ୍ତି। ଏହା ବ୍ରିଟେନରେ ରାଜନୈତିକ ଅସ୍ଥିରତାକୁ ଆହୁରି ବଢ଼ାଇଛି । ଗତ ୧୦ ବର୍ଷ ମଧ୍ୟରେ ପଦ ଛାଡିବାରେ କୀର ଷ୍ଟାର୍ମର ହେଉଛନ୍ତି ଷଷ୍ଠ ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ପରିସ୍ଥିତି ପାଇଁ ମୁଁ ଦାୟୀ। ତାଙ୍କ ଉପରେ ଗତ କିଛି ଦିନ ଧରି ଲେବର ପାର୍ଟି ନେତା ପଦରୁ ଇସ୍ତଫା ଦେବା ପାଇଁ ଚାପ ବଢ଼ିବାରେ ଲାଗିଥିଲା ଆଣ୍ଡି ବର୍ନହାମ ନୂତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବାକୁ ନେଇ ଚାପ ବଢୁଥିଲା। ଗତ ସପ୍ତାହରେ, ଆଣ୍ଡି ବର୍ନହାମ ଉତ୍ତର ଇଂଲଣ୍ଡର ମେକରଫିଲ୍ଡ ଉପନିର୍ବାଚନରେ ଜଣେ ଦକ୍ଷିଣପନ୍ଥୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଥିଲେ। ଏହି ବିଜୟ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କର ଦାବିକୁ ଆହୁରି ମଜବୁତ କରିଥିଲା। ତାଙ୍କୁ ବର୍ତ୍ତମାନ ଶାସକ ଲେବର ପାର୍ଟିର ପରବର୍ତ୍ତୀ ନେତା ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ବିବେଚନା କରାଯାଉଛି।