ନୂଆଦିଲ୍ଲୀ,୨/୧୦: ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାପୁଙ୍କ ଅମର ସନ୍ଦେଶ ଏକ ସୁନ୍ଦର ସମାଜ ଏବଂ ‘ବିକଶିତ ଭାରତ’ ଗଠନ ପାଇଁ ସମସ୍ତଙ୍କୁ ନିରନ୍ତର ମାର୍ଗଦର୍ଶନ କରୁଥିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାପୁଙ୍କ ସମ୍ପୂର୍ଣ୍ଣ ଜୀବନ ସତ୍ୟ, ଅହିଂସା, କରୁଣା ଏବଂ ସେବାର ଏକ ଆଲୋକବର୍ତ୍ତିକା ଥିଲା, ଯାହା ପ୍ରତ୍ୟେକ ଯୁଗରେ ମାନବସମାଜକୁ ଦିଗଦର୍ଶନ ଦେବ ବୋଲି ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଦିନର ଗୁରୁତ୍ୱ ନିଜ ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ନିବିଡ଼। ଗାନ୍ଧିଜୀଙ୍କ ଆଦର୍ଶ ସାରା ବିଶ୍ୱକୁ ପ୍ରେରଣା ଦେଇଛି ଏବଂ ସେ ଏପରି ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ, ଯିଏ କ୍ଷମତାଠାରୁ ଦୂରରେ ଥାଇ ମଧ୍ୟ କୋଟି କୋଟି ଲୋକଙ୍କ ହୃଦୟରେ ସଦାସର୍ବଦା ଜୀବିତ ଅଛନ୍ତି। ମହାତ୍ମା ଗାନ୍ଧୀ ସଦାସର୍ବଦା ”ସ୍ୱଦେଶୀ” ଗ୍ରହଣ କରିବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରୁଥିଲେ, ଯେଉଁଥିରେ ”ଖାଦି” ସର୍ବଦା ଶୀର୍ଷ ପ୍ରାଥମିକତା ହୋଇ ରହିଆସିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇ ଅକ୍ଟୋବର ୨ ତାରିଖରେ ଅନ୍ତତଃ ଗୋଟିଏ ହେଲେ ବି ଖାଦି ସାମଗ୍ରୀ କ୍ରୟ କରି ଗର୍ବର ସହ ‘ସ୍ୱଦେଶୀ’ ଆପଣାଇବାକୁ ନିବେଦନ କରିଛନ୍ତି।