ଭୁବନେଶ୍ୱର,୨୮/୦୮: ବାଲେଶ୍ୱର ସୋର ଅଞ୍ଚଳରେ ବଢୁଛି କଂସବାଂଶ ନଦୀର ଜଳସ୍ତର । ସାଜନପୁର ନିକଟରେ ନଦୀର ଜଳସ୍ତର ୭.୫୯ ମିଟରରେ ପହଞ୍ଚିଛି । ନଦୀର ବିପଦସଙ୍କେତ ୭.୫୦ ମିଟର ଥିବାରୁ ବର୍ତ୍ତମାନ ୯ ସେଣ୍ଟିମିଟର ଉପରେ ପାଣି ପ୍ରବାହିତ ହେଉଛି । ଜଳସ୍ତର ବଢିବା ଯୋଗୁଁ ତଳନଗର, ଗୁଡୁ ଓ ତେଣ୍ଟେଇ—ଏହି ୩ଟି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମିବା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି । ରାମଚନ୍ଦ୍ରପୁରୀ, ଦୟାନିଧିପୁର ଓ ରାଣିଟିକିରି ଅଞ୍ଚଳର ପ୍ରାୟ ୬୦୦ ଲୋକ ପାଣିଘେରରେ ରହିଥିବା ସୂଚନା ମିଳିଛି । ନଦୀର ଜଳସ୍ତର ଆହୁରି ବଢିଲେ ସ୍ଥିତି ଅଧିକ ଗମ୍ଭୀର ହେବା ଆଶଙ୍କା ରହିଛି । ତେଣୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେଳେ, ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।