ଭୁବନେଶ୍ୱର,୨୮/୦୯: ଆଜି ମାତ୍ର ୬ ମିନିଟ୍ ଚାଲିଲା ବିଧାନସଭା ପ୍ରଶ୍ନକାଳ । ଗୃହ ଆରମ୍ଭ ହେବା ପରେ ଏମଏମଡିଆର ଆଇନକୁ ନେଇ ବିରୋଧୀଙ୍କ ପ୍ରତିବାଦ ଓ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଫଳରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ବିରୋଧୀ ସଦସ୍ୟମାନେ ଗୃହରେ ନାରାବାଜି କରିବା ସହ MMDR ଆଇନକୁ ନେଇ ଆପତ୍ତି ଉଠାଇଥିଲେ । ଏହାପରେ ଗୃହକୁ ମୁଲତବୀ କରାଯାଇଥିଲା । ଏମଏମଡିଆର ଆକ୍ଟକୁ ନେଇ ଗତ କିଛି ଦିନ ଧରି ଓଡ଼ିଶା ବିଧାନସଭାରେ ତାତି ଜାରି ରହିଛି । ବିଜେଡି ଓ କଂଗ୍ରେସ ଏହି ଆଇନର ପ୍ରତ୍ୟାହାର ଦାବି କରି ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗତ ସପ୍ତାହରେ ଲଗାତାର ଦିନ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ବିଜେଡିର ଅଭିଯୋଗ ହେଉଛି, ନୂଆ MMDR ବ୍ୟବସ୍ଥା ଖଣି ଓ ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଏବଂ ରାଜସ୍ୱକୁ ପ୍ରଭାବିତ କରିପାରେ । ଏହି ଦାବିକୁ ନେଇ ଦଳ ଆନ୍ଦୋଳନ ଜାରି ରଖିଛି । ସେପଟେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ବଡ଼ ଧରଣର ପ୍ରତିବାଦ କରିଛି ବିଜେଡି । ଏହା ମଧ୍ୟରେ ସୁଜାତା କାର୍ତ୍ତିକେୟନ ମଧ୍ୟ ଲୋୟର ପିଏମଜିରେ ବିକ୍ଷୋଭରେ ସାମିଲ ଅଛନ୍ତି ।