ଗଞ୍ଜାମରେ ବନ୍ୟା ସ୍ଥିତି ଗମ୍ଭୀର, ଜଳବନ୍ଦି ଅଞ୍ଚଳରୁ ଲୋକଙ୍କୁ କରାଗଲା ଏୟାରଲିଫ୍ଟ

ନୂଆଦିଲ୍ଲୀ,୩୧/୧୦: ବାତ୍ୟା ପରେ ଗଞ୍ଜାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ସମସ୍ତ ବିପନ୍ନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଚାଲିଛି । ବର୍ଷା ଛାଡ଼ିବା ପରେ ତଟରକ୍ଷୀ ବାହିନୀ ଓ ନୌସେନା ସହାୟତାରେ ଆଜି ୪ଟି ହେଲିକପ୍ଟର ଯୋଗେ ଧରାକୋଟ ଓ ଆସିକା ଜଳବନ୍ଦି ଅଞ୍ଚଳରୁ ଲୋକଙ୍କୁ ଏୟାରଲିଫ୍ଟ କରାଯାଇ ବୋଟ୍‌ ଯୋଗେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଅଣାଯାଇଛି ।ଏଯାବତ ୬୩୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୩୬୬ ଜଣଙ୍କର ସୁରକ୍ଷିତ ପ୍ରସବ କରାଯାଇଛି । ଜଳବନ୍ଦି ଅଞ୍ଚଳରୁ ଏୟାରଲିଫ୍ଟିଂ ଓ ରିଲିଫ୍‌ ଯୋଗାଣ ଜାରି ରହିଛି। ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ, ପାନୀୟ ଜଳ ପହଞ୍ଚାଯାଉଛି । ଏସବୁ ଭିତରେ ଶୁ୍କ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାରୀ ଭାବେ ଗଞ୍ଜାମ ବନ୍ୟାରେ ୪୨ହଜାର ୫୬୪ ଜଣ ପ୍ରଭାବିତ ହୋଇଛନ୍ତି ।ବାସ୍ତବରେ ଏହି ସଂଖ୍ୟା ଦେଢ଼ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ଏବେ ଜିଲ୍ଲାରେ ୪୫ଟି ଓଡ୍ରାଫ୍‌, ୫୨ଟି ଅଗ୍ନିଶମ ଟିମ୍‌ ସହ ୪ଟି ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜିଲ୍ଲାକୁ ରାଜ୍ୟ ସରକାର ରିଲିଫ୍‌ ଓ ଉଦ୍ଧାର ଲାଗି ଅତିରିକ୍ତ ୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *