ନୂଆଦିଲ୍ଲୀ,୦୯/୧୧: ଦୀପାବଳିର ଖୁସି ମାହୋଲରେ ଆସିଲା ଦୁଃଖଦ ଘଟଣା । ମଧ୍ୟପ୍ରଦେଶରେ ପୃଥକ ପୃଥକ ଦୁଇଟି ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଯାଇଛି ୧୨ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଦୁଇ ମାସର ଶିଶୁ ମଧ୍ୟ ରହିଛି । ସିଓନୀ ଓ କାଟନୀ ଜିଲ୍ଲାରେ ଘଟିଥିବା ଏହି ଦୁଇଟି ଅଗ୍ନିକାଣ୍ଡ ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରଥମ ଘଟଣାଟି ଘଟିଛି ସିଓନୀ ଜିଲ୍ଲାର ଛପାରା ସହରରେ। ମହାବୀର ୱାର୍ଡର ଏକ ତିନି ମହଲା କୋଠାରେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସମୟରେ ଘର ଭିତରେ ମୋଟ ୧୦ ଜଣ ଥିଲେ । ନିଆଁ ଓ ଧୂଆଁ ମଧ୍ୟରେ ଫସିଯାଇଥିଲେ ପରିବାର ସଦସ୍ୟ । ତେବେ ଉଦ୍ଧାରକାରୀ ଦଳ ଚାରି ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରିଥିବା ବେଳେ ଦୁର୍ଭାଗ୍ୟବଶତଃ ଛଅ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦ୍ୱିତୀୟ ଘଟଣାଟି ଘଟିଛି କାଟନୀ ଜିଲ୍ଲାର ବାରହୀ ସହରରେ । ଏଠାରେ ଏକ ତିନି ମହଲା କୋଠାର ତଳ ମହଲାରେ ଥିବା ବାସନ ଦୋକାନରେ ମଧ୍ୟରାତ୍ରିରେ ନିଆଁ ଲାଗିଥିଲା । ଫଳରେ ଉପର ମହଲାରେ ରହୁଥିବା ପରିବାର ସଦସ୍ୟ ଘର ଭିତରେ ଫସି ରହିଥିଲେ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ଦୁଇ ମାସର ଶିଶୁ ସମେତ ଗୋଟିଏ ପରିବାରର ଛଅ ଜଣଙ୍କ ଜୀବନ ଚାଲିଯାଇଛି । ତେବେ ଦୁଇଟି ଯାକ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।