ନୂଆଦିଲ୍ଲୀ,୨୪/୦୯: ଯମୁନା ଏକ୍ସପ୍ରେସ୍-ୱେରେ ଏକ ଚଳନ୍ତା ସ୍ଲିପର୍ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବିଳମ୍ବିତ ରାତି ସମୟରେ ଦିଲ୍ଲୀରୁ ଉତ୍ତର ପ୍ରଦେଶର ମହୋବା ଯାଉଥିବା ବସରେ ଏହି ଦୁର୍ଘଟଣା ଘଟିଛି। ନୋଏଡ଼ା-ଆଗ୍ରା ରୁଟର ୩୩ କିଲୋମିଟର ନିକଟରେ ଅଗ୍ନିକାଣ୍ଡ ଘଟିବା ପରେ ବସଟି ନିମିଷକ ମଧ୍ୟରେ ଜଳିଯାଇଥିଲା। ଏଫଆଇଆର୍ ଅନୁଯାୟୀ, ଗାଡ଼ିରୁ ଜଳିବା ଗନ୍ଧ ବାହାରିବା ନେଇ ଯାତ୍ରୀମାନେ ଅଭିଯୋଗ କରିଥିଲେ ହେଁ ଡ୍ରାଇଭର୍ ଓ କଣ୍ଡକ୍ଟର ସେମାନଙ୍କ କଥାକୁ ଏଡ଼ାଇ ଦେଇଥିଲେ। ଗାଡ଼ି ନରଖି ଉଭୟ ବିଡ଼ି-ସିଗାରେଟ୍ ଟାଣିବା ଜାରି ରଖିବା ସହ ଗାଡ଼ି ରୋକିବାକୁ ଦାବି କରୁଥିବା ଯାତ୍ରୀଙ୍କୁ ଧମକ ଚମକ ଦେଇଥିଲେ। ଶୋଇଥିବା ଯାତ୍ରୀମାନେ ନିଆଁ ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇପଡ଼ିଥିବା ବେଳେ କିଛି ଯାତ୍ରୀ କାଚ ଭାଙ୍ଗି ଚଳନ୍ତା ବସରୁ ଡେଇଁ ଜୀବନ ବଞ୍ଚାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପୋଲିସ ହେପାଜତକୁ ନେଇଛି। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ କୁହାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।