ଇବୋଲା ଆତଙ୍କ: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ବିଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏୟାର ସୁବିଧା ୨.୦ ପୋର୍ଟାଲ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୭/୦୬: ଇବୋଲା ଆଶଙ୍କା ପରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି। ବିଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏୟାର ସୁବିଧା ୨.୦ ପୋର୍ଟାଲ ବାଧ୍ୟତାମୂଳକ କରାଯାଇଛି। ଏହା ଜରିଆରେ ସ୍ୱାସ୍ଥ୍ୟ ସ୍ୱଘୋଷଣା କରିବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ DGCAକୁ ଚିଠି ଲେଖି ସମସ୍ତ ବିମାନ ସେବା ସଂସ୍ଥାକୁ ତୁରନ୍ତ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି। ଏହାର ଲକ୍ଷ୍ୟ ହେଉଛି ଦେଶର ପ୍ରବେଶ ପଏଣ୍ଟଗୁଡ଼ିକରେ ସଂକ୍ରାମକ ରୋଗ ନିରୀକ୍ଷଣକୁ ଆହୁରି ସୁଦୃଢ଼ କରିବା। ବି ଇବୋଲା ଭାଇରସ ଭଳି ରୋଗର ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ଭାରତକୁ ଆସୁଥିବା ପ୍ରତ୍ୟେକ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ଅନଲାଇନରେ ଏୟାର ସୁବିଧା ୨.୦ ପୋର୍ଟାଲରେ ସ୍ୱଘୋଷଣା ଫର୍ମ ପୂରଣ କରିବାକୁ ପଡ଼ିବ। ଫର୍ମରେ ଗତ ୨୧ ଦିନର ଭ୍ରମଣ ଇତିହାସ, ସଂକ୍ରମିତ ବ୍ୟକ୍ତିଙ୍କ ସହ ସମ୍ପର୍କ ଓ ସ୍ୱାସ୍ଥ୍ୟ ଲକ୍ଷଣ ସମ୍ବନ୍ଧୀୟ ସୂଚନା ଦେବାକୁ ହେବ। ଏହି ତଥ୍ୟ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ, ଇମିଗ୍ରେସନ ବିଭାଗ ଓ ଅନ୍ୟ ସମ୍ପୃକ୍ତ ସଂସ୍ଥାଙ୍କ ସହ ତୁରନ୍ତ ସେୟାର ହେବ। ସେହିପରି https://airsuvidha.civilaviation.gov.in ପୋର୍ଟାଲର ବ୍ୟାପକ ପ୍ରଚାର କରିବାକୁ ମଧ୍ୟ ବିମାନ ସଂସ୍ଥାମାନଙ୍କୁ କୁହାଯାଇଛି।

Leave a Reply

Your email address will not be published. Required fields are marked *