ଭୁବନେଶ୍ୱର,୨୨/୦୭: ଦ୍ଵିତୀୟ ଦିନରେ ଚାଲିଛି ରଥର ଦକ୍ଷିଣମୋଡ଼ । ଗତକାଲି ଆଜ୍ଞାମାଳ ଆସିବା ପରେ ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ନୀତିକୁ ଅଧାରେ ବନ୍ଦ କରିବାକୁ ପଡ଼ିଥିଲା । ଗତକାଲି କେବଳ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣମୋଡ଼ ସମ୍ପନ୍ନ ହୋଇଥିଲା । ଆଜି ଦ୍ୱିତୀୟ ଦିନରେ ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ ନୀତି ଆରମ୍ଭ ହୋଇଛି । ଏହା ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ କରାଯିବ । ରଥ ଚାରିପାଖରେ ସେବାୟତମାନେ ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପାଦନ କରୁଥିବାବେଳେ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି । ଦକ୍ଷିଣମୋଡ଼ ନୀତିକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରଥ ଚାରିପାଖରେ ବ୍ୟାରିକେଡିଂ, ଭିଡ଼ ନିୟନ୍ତ୍ରଣ ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ।