ଅତି ଭୀଷଣ ରୂପ ନେଇ କାକିନାଡ଼ା ନିକଟସ୍ଥ ୟାନମ୍‌ ଅଞ୍ଚଳରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଅର୍ଣ୍ଣବ

ଭୁବନେଶ୍ୱର,୨୮/୧୦: ଅତି ଭୀଷଣ ରୂପ ନେଇ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟସ୍ଥ ୟାନମ୍‌ ଅଞ୍ଚଳରେ ସ୍ଥଳଭାଗ ଛୁଇଁଛି ବାତ୍ୟା ଅର୍ଣ୍ଣବ । ଲ୍ୟାଣ୍ଡଫଲ୍‌ ସମୟରେ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ ବହିଥିବା ବେଳେ ଝଟକା ପବନର ବେଗ ୧୫୦ କିଲୋମିଟର ରହିଥିଲା । ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଥିବା ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ମଧ୍ୟରାତି ୧୨ଟା ୫୪ରୁ ୟାନମ୍‌ର ଦକ୍ଷିଣ ଦିଗରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ସମୁଦ୍ର ମଧ୍ୟରେ ଥିବା ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା । ସ୍ଥଳଭାଗ ଅତିକ୍ରମ ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବା ସହ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବାର ପୂର୍ବାନୁମାନ କରାଯାଇଛି । ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେଉଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ଉପକୂଳ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଛି ।

Leave a Reply

Your email address will not be published. Required fields are marked *