ଭୁବନେଶ୍ୱର,୨୭/୧୦: ଅତି ଭୀଷଣ ବାତ୍ୟାର ରୂପ ନେଇଛି ଅର୍ଣ୍ଣବ । ବାତ୍ୟା ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଏବେ ଉପକୂଳମୁହାଁ ହୋଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବର୍ତ୍ତମାନ ବାତ୍ୟା ଘଣ୍ଟାପ୍ରତି ପ୍ରାୟ ୨୩ କିଲୋମିଟର ବେଗରେ ଗତି କରୁଛି । ଆସନ୍ତାକାଲି ସକାଳେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।
ସ୍ଥଳଭାଗ ଛୁଇଁବା ବେଳେ ବାତ୍ୟାର ପ୍ରଭାବ ସବୁଠୁ ଅଧିକ ରହିବାର ଆଶଙ୍କା ରହିଛି । ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ । ଝଟକା ପବନର ବେଗ ମଧ୍ୟ ଆହୁରି ଅଧିକ ହେବାର ଆଶଙ୍କା ରହିଛି ।
ଏବେ ଗୋପାଳପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଅର୍ଣ୍ଣବ’। ସେହିପରି ବିଶାଖାପାଟଣାଠାରୁ ପ୍ରାୟ ୩୫୦ କିଲୋମିଟର ଓ କାକିନାଡାଠାରୁ ପ୍ରାୟ ୪୨୦ କିଲୋମିଟର ଦୂରରେ ରହିଛି ଏହି ଅତି ଭୀଷଣ ବାତ୍ୟା। ଧୀରେ ଧୀରେ ଉପକୂଳ ଆଡ଼କୁ ଆଗକୁ ବଢ଼ୁଥିବାରୁ ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେଉଛି ।
ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଛି । ଆଜି ମଧ୍ୟ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବାତ୍ୟାଜନିତ ବର୍ଷା ଓ ପବନର ପ୍ରଭାବ ରହିପାରେ ।