ଭୁବନେଶ୍ୱର,୨୭/୧୧: ହଠାତ୍ ଖସିଲା ପାରଦ ବଢ଼ିଲା ଥଣ୍ଡା । ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା ଶୀତର ପ୍ରକୋପ । ସକାଳୁ ସକାଳୁ ଶୀତର ଅନୁଭୂତି ଲୋକଙ୍କୁ କଲାଣି ଅସ୍ତବ୍ୟସ୍ତ । ଗତ ତିନି ଦିନ ମଧ୍ୟରେ ସକାଳ ସମୟର ତାପମାତ୍ରାରେ ୭.୬ ଡିଗ୍ରି ସେଲସିୟସ୍ ହ୍ରାସ ଘଟିଛି । ଆଜି ସକାଳେ ଭୁବନେଶ୍ୱରର ତାପମାତ୍ରା ୧୭.୪ ଡିଗ୍ରି ରେକର୍ଡ ହୋଇଛି । ଗତ କିଛି ଦିନ ଧରି ରାଜଧାନୀରେ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଛି । ନଭେମ୍ବର ୨୪ ତାରିଖରେ ସକାଳର ତାପମାତ୍ରା ୨୫ ଡିଗ୍ରି ରହିଥିବା ବେଳେ ୨୫ ତାରିଖରେ ଏହା ଖସି ୨୨.୨ ଡିଗ୍ରିରେ ପହଞ୍ଚିଥିଲା । ସେହିପରି ୨୬ ତାରିଖରେ ପାରଦ ୨୧.୨ ଡିଗ୍ରିକୁ ଖସିଥିଲା । ଆଉ ଆଜି ଏହା ଆହୁରି ହ୍ରାସ ପାଇ ୧୭.୪ ଡିଗ୍ରିରେ ପହଞ୍ଚିଛି । ଅର୍ଥାତ୍ ମାତ୍ର ତିନି ଦିନ ମଧ୍ୟରେ ୭.୬ ଡିଗ୍ରି ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି । ସକାଳୁ ଘରୁ ବାହାରୁଥିବା ଲୋକେ ଶୀତବସ୍ତ୍ରର ସାହାରା ନେଉଛନ୍ତି । ବିଶେଷକରି ସକାଳେ ଓ ରାତିରେ ଥଣ୍ଡାର ପ୍ରଭାବ ଅଧିକ ଅନୁଭବ ହେଉଛି ।