ରାଜଧାନୀରେ ଓଡ଼ିଶା ଟ୍ରାଭେଲ୍ ବଜାରର ସପ୍ତମ ସଂସ୍କରଣ ଆରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ..

ଭୁବନେଶ୍ୱର,୦୨/୧୦:  ରାଜଧାନୀରେ ଆରମ୍ଭ ହୋଇଛି ‘ଓଡ଼ିଶା ଟ୍ରାଭେଲ୍ ବଜାର’ର ସପ୍ତମ ସଂସ୍କରଣ। ଦେଶ-ବିଦେଶର ବହୁ ନାମୀଦାମୀ ଟୁର୍ ଅପରେଟର ଏବଂ ନିବେଶକଙ୍କୁ ଗୋଟିଏ ମଞ୍ଚରେ ଯୋଡ଼ି ରାଜ୍ୟର ଅପୂର୍ବ ପର୍ଯ୍ୟଟନ କ୍ଷମତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରି ଓଡ଼ିଶାକୁ ପର୍ଯ୍ୟଟକଙ୍କ ଭୁସ୍ୱର୍ଗ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି । ଦେଶ ବିଦେଶର ନିବେଶକ, ହସ୍ପିଟାଲିଟି ବ୍ରାଣ୍ଡ ଓ ଟୁରିଜିମ୍ ପାର୍ଟନରଙ୍କୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ନିବେଶ ପାଇଁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ପାଇଁ ଷ୍ଟାର ହୋଟେଲ ପାଇଁ ଆସିଛି ଅତ୍ୟାଧୁନିକ ନୀତି। ଏଥିସହ ରାଜ୍ୟରେ ଗଠନ ହେବ ସ୍ୱତନ୍ତ୍ର ଲ୍ୟାଣ୍ଡ ବ୍ୟାଙ୍କ । ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ସରକାର ନେଇଛନ୍ତି ଏକାଧିକ ପଦକ୍ଷେପ । ଷ୍ଟାର ହୋଟେଲ ପାଇଁ ସର୍ବନିମ୍ନ କୋଠରୀ ସଂଖ୍ୟା ୫୦ରୁ କମାଇ ୧୦ କରାଯାଇଛି । ପୁଞ୍ଜି ସବ୍‌ସିଡି ସୀମା ୨୦ କୋଟିରୁ ବଢ଼ାଇ ସର୍ବାଧିକ ୧୨୦ କୋଟି ଟଙ୍କା କରାଯାଇଛି ।

ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ନୂଆ ‘ଓଡ଼ିଶା ଟୁରିଜିମ୍ ପୋର୍ଟାଲ୍’ ଏବଂ ନିବେଶକଙ୍କ ସୁବିଧା ପାଇଁ ‘ଟୁରିଜିମ୍ ଇନ୍‌ଭେଷ୍ଟମେଣ୍ଟ ଇନ୍‌ସେଣ୍ଟିଭ୍ ମ୍ୟାନେଜମେଣ୍ଟ ସିଷ୍ଟମ’ର ୱେବ୍ ଆପ୍ଲିକେଶନର ମଧ୍ୟ ଶୁଭାରମ୍ଭ କରାଯାଇଛି । ଅତିଥି ଦେବୋ ଭବଃ’ ମନ୍ତ୍ରକୁ ଆପଣାଇ ପର୍ଯ୍ୟଟକଙ୍କୁ ସମ୍ମାନ ଓ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *