ପୁରୀ ବଡ଼ଦାଣ୍ଡରେ ବଡ଼ ବିସ୍ଫୋରଣ, ରେଷ୍ଟୁରାଣ୍ଟରେ ଗ୍ୟାସ୍ ଟାଙ୍କି ଫାଟି ୪ଗୁରୁତର

ଭୁବନେଶ୍ୱର,୧୩/୧୧: ପୁରୀ ବଡ଼ଦାଣ୍ଡରେ ବଡ଼ ବିସ୍ଫୋରଣ । ଏବେ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଭିଡ଼ ଥିବାବେଳେ ବଡ଼ଦାଣ୍ଡରେ ଏଭଳି ବିସ୍ଫୋରଣ ଭୟ ସୃଷ୍ଟି କରିଛି। ବଡ଼ଦାଣ୍ଡ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟରେ ଗ୍ୟାସ୍ ଟାଙ୍କି ଫାଟିବାରୁ ଏପରି ଅଘଟଣ ହୋଇଥିବା କୁହାଯାଇଛି। ଏଥିରେ ରେଷ୍ଟୁରାଣ୍ଟର ୪ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେଷ୍ଟୁରାଣ୍ଟରେ ଏତେ ଭୟଙ୍କର ବିସ୍ଫୋରଣ ହୋଇଥିଲା ଯେ , ପୁରା ଅଞ୍ଚଳ ଥରିଉଠିଥିଲା। ରେଷ୍ଟୁରାଣ୍ଟର ଛାତ ଭୁଶୁଡ଼ିପଡ଼ିଥିବାବେଳେ , ଏହାର କାଚ ଡୋର ବି ଭାଙ୍ଗିଯାଇ ଚାରିଆଡ଼େ ଛିଟିକି ପଡ଼ିଥିଲା। ଫଳରେ ରାସ୍ତାରେ ଯାଉଥିବା ଯାତ୍ରୀ ମଧ୍ୟ କ୍ଷତାକ୍ତ ହୋଇଛନ୍ତି । ବିସ୍ଫୋରଣର ଭୟାବହତା ଏଭଳି ଭୟଙ୍କର ଥିଲା ଯେ ଏହା ଗ୍ୟାସ୍ ଟାଙ୍କି ଫାଟିବାରୁ ନୁହେଁ ବରଂ ରେଷ୍ଟୁରାଣ୍ଟରେ ଥିବା କିଛି ବିସ୍ଫୋରକ ରଖାଯାଇଥିଲା ଯାହା ଫାଟିବାରୁ ଏଭଳି ଭୟଙ୍କର ସ୍ଥିତି ହୋଇଛି ବୋଲି ସ୍ଥାନୀୟ ଲୋକ ମତ ଦେଇଛନ୍ତି । ଅନ୍ୟପଟେ ପ୍ରାଥମିକ ସୂଚନାରୁ ଯାହା ତଥ୍ୟ ମିଳିଛି,ହୋଟେଲର ତଳ ମହଲାରେ ରେଷ୍ଟୁରାଣ୍ଟ ଚାଲୁଥିବାବେଳେ ଉପରେ ଲଜ୍ ବ୍ୟବସ୍ଥା ଥିଲା।

Leave a Reply

Your email address will not be published. Required fields are marked *