ଚୀନରେ ତାଣ୍ଡବ ରଚିଲା ଶକ୍ତିଶାଳୀ ଟାଇଫୁନ୍ ବାଭି, ପ୍ରବଳ ବର୍ଷା ସହ ବନ୍ୟା ଆଶଙ୍କା

ନୂଆଦିଲ୍ଲୀ,୧୧/୦୭: ପ୍ରାକୃତିକ ବିପର୍ଯ୍ୟୟ ସହିତ ଲଢୁଥିବା ଚୀନ୍ ଶନିବାର ରାତିରେ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଶକ୍ତିଶାଳୀ ଟାଇଫୁନ୍ ବାଭି ଶନିବାର ରାତିରେ ପୂର୍ବ ଚୀନ୍‌ର ଝେଜିଆଙ୍ଗ ପ୍ରଦେଶର ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ସହ ତାଣ୍ଡବ ରଚିଛି। କାଉଣ୍ଟି ସହର ୟୁହୁଆନ୍‌ରେ ଏହା ସ୍ଥଳଭାଗ ଛୁଇଁଛି। ସୂଚନା ଅନୁଯାୟୀ,ଏହା ଚଳିତ ବର୍ଷର ନବମ ଟାଇଫୁନ୍। ଲ୍ୟାଣ୍ଡଫଲ୍ ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୪୪ କିଲୋମିଟର ଥିଲା। ଯାହା ଫଳରେ ଉପକୂଳ ଅଞ୍ଚଳରେ ବଡ଼ ଧରଣର କ୍ଷତି ହୋଇଛି। ଘୂର୍ଣ୍ଣିବାତ୍ୟାର ଆକଳନ କରାଯାଇଥିବା ଭୟଙ୍କର ରୂପକୁ ନେଇ ଏବଂ ସମ୍ଭାବ୍ୟ ଧନଜୀବନ ହାନିକୁ ଦୃଷ୍ଟିରେ ରଖି, ଚୀନ୍ କର୍ତ୍ତୃପକ୍ଷ ୨୦ ଲକ୍ଷ ଲୋକଙ୍କୁ ସେମାନଙ୍କ ଘରୁ ସ୍ଥାନାନ୍ତର କରାଯାଇ ନିରାପଦ ଆଶ୍ରୟସ୍ଥଳକୁ ନିଆଯାଇଥିଲା। ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ରାଜଧାନୀ ବେଜିଂ ସମେତ ଦେଶର ଅନେକ ପ୍ରମୁଖ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଉଦ୍ଧାରକାରୀ ଦଳଗୁଡ଼ିକୁ ୨୪ଘଣ୍ଟା ସତର୍କ ରହିବାକୁ କୁହାଯାଇଛି। ଚୀନ୍‌ର ଜାତୀୟ ପାଣିପାଗ କେନ୍ଦ୍ର ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝେଜିୟାଙ୍ଗ, ଉତ୍ତର ଫୁଜିଆନ, ଉତ୍ତର-ପୂର୍ବ ଜିଆଙ୍ଗସି ଏବଂ ଦକ୍ଷିଣ ଆନହୁଇ ସମେତ ଦେଶର ଏକ ବଡ଼ ଅଂଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ, ବେଜିଂ ଏବଂ ହେବେଇର କିଛି ଅଂଶରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ଏବଂ ବନ୍ୟା ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *