ଇରାନର ବିଭିନ୍ନ ସାମରିକ ଠିକଣା ଉପରେ ଆମେରିକାର ବ୍ୟାପକ ଆକ୍ରମଣ

ନୂଆଦିଲ୍ଲୀ,୧୨/୦୭: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ଆଶଙ୍କା ।  ହର୍ମୁଜ୍ ପ୍ରଣାଳୀକୁ ନେଇ ପରିସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଛି । ଇରାନ ଓ ଆମେରିକା ମଧ୍ୟରେ ବଢ଼ୁଥିବା ତିକ୍ତତା ଏବେ ନୂଆ ମୋଡ଼ ନେଇଛି । ସୂଚନା ଅନୁଯାୟୀ, ଗୋଟିଏ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ଆମେରିକା ଇରାନର ବିଭିନ୍ନ ସାମରିକ ଠିକଣା ଉପରେ ବ୍ୟାପକ ଆକ୍ରମଣ କରିଛି । ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ଉପରେ ଇରାନ ପକ୍ଷରୁ ହୋଇଥିବା କଥିତ ଆକ୍ରମଣର ଜବାବରେ ଏହି ସାମରିକ ଅଭିଯାନ କରାଯାଇଥିବା କୁହାଯାଉଛି । ଆମେରିକାର କହିବା ଅନୁଯାୟୀ, ଆନ୍ତର୍ଜାତିକ ବାଣିଜ୍ୟିକ ଜାହାଜ ଓ ଜାହାଜ ଚଳାଚଳର ସୁରକ୍ଷାକୁ ଲକ୍ଷ୍ୟ କରି ଯେକୌଣସି ଆକ୍ରମଣର କଡ଼ା ଜବାବ ଦିଆଯିବ । ସେଥିପାଇଁ ଇରାନର ସାମରିକ କ୍ଷମତାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ, ଏହି ଆକ୍ରମଣ ପରେ ପରିସ୍ଥିତି ଆହୁରି ସଙ୍କଟପୂର୍ଣ୍ଣ ହୋଇପଡ଼ିଛି । ହର୍ମୁଜ୍ ଷ୍ଟ୍ରେଟ୍‌ରେ ଜାହାଜ ଚଳାଚଳ ପୁଣିଥରେ ବାଧାପ୍ରାପ୍ତ ହୋଇଥିବା ଖବର ମିଳିଛି । ବିଶ୍ୱର ମୋଟ ଅଶୋଧିତ ତୈଳ ରପ୍ତାନିର ଏକ ବଡ଼ ଅଂଶ ଏହି ସାମୁଦ୍ରିକ ପଥ ଦେଇ ହୋଇଥାଏ । ତେଣୁ ହର୍ମୁଜରେ ଯେକୌଣସି ଉତ୍ତେଜନାର ସିଧାସଳଖ ପ୍ରଭାବ ବିଶ୍ୱ ଅର୍ଥନୀତି ଓ ଅଶୋଧିତ ତୈଳ ଦର ଉପରେ ପଡ଼ିପାରେ ।

Leave a Reply

Your email address will not be published. Required fields are marked *