ନୂଆଦିଲ୍ଲୀ,୧୪/୦୮: ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ ସମୟ ନଷ୍ଟ ହେବା ଯୋଗୁଁ ପ୍ରାୟ ୨୧୬ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି । ସଂସଦ ହେଉଛି ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ । ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉ କିମ୍ବା ନୂଆ ଆଇନ, ପ୍ରତ୍ୟେକ ବିଲ୍ ଉପରେ ସାଂସଦମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ଓ ଚର୍ଚ୍ଚା ହେବା ଆବଶ୍ୟକ । ହେଲେ ସଂସଦରେ ବାରମ୍ବାର ହଙ୍ଗାମା ଓ ବିରୋଧ ଯୋଗୁଁ ଏହି ଉଦ୍ଦେଶ୍ୟ ପ୍ରଭାବିତ ହୋଇଥିବା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।