ଭୁବନେଶ୍ୱର,୦୬/୧୧: କୋଟିଆରେ ଭୋଟ୍ କେବଳ ନିର୍ବାଚନୀ ପ୍ରକ୍ରିୟା ନୁହେଁ, ବରଂ ଏହା ସହ ଯୋଡ଼ି ହୋଇଛି ଓଡ଼ିଶାର ଅସ୍ମିତା, ସ୍ୱାଭିମାନ ଓ ସୀମା ସୁରକ୍ଷାର ପ୍ରଶ୍ନ । ଏଥର ଆନ୍ଧ୍ରର ନିର୍ବାଚନକୁ ନେଇ କୋଟିଆରେ ଜୋରଦାର ହଲଚଲ୍ ଦେଖିବାକୁ ମିଳିଥିଲା । କୋଟିଆ ଅଞ୍ଚଳରେ ଆନ୍ଧ୍ର ପକ୍ଷରୁ ବୁଥ୍ କରିବା ଉଦ୍ୟମକୁ ଓଡ଼ିଶା ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା । ଏହାକୁ ନେଇ ଦଳମତ ନିର୍ବିଶେଷରେ ଏକାଠି ହୋଇଥିଲେ ଓଡ଼ିଶାର ରାଜନେତା । ପୋଲିସ ଓ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ସତର୍କ ରହିଥିଲା । ଆନ୍ଧ୍ର-ଓଡ଼ିଶା ସୀମାରେ ମୁତୟନ ହୋଇଥିଲେ ପ୍ଲାଟୁନ୍ ପ୍ଲାଟୁନ୍ ପୋଲିସ ଫୋର୍ସ । ରାତିସାରା ଜଗି ରହିଥିଲେ ପ୍ରଶାସନିକ ଅଧିକାରୀ ଓ ରାଜନେତା । ଶେଷରେ ଓଡ଼ିଶାର ପ୍ରବଳ ବିରୋଧ ପରେ ଆନ୍ଧ୍ର କୋଟିଆ ଅଞ୍ଚଳରେ ବୁଥ୍ କରିବାରୁ ପଛଘୁଞ୍ଚା ଦେଇଥିଲା । ନିଜ ସୀମା ଭିତରେ ବୁଥ୍ ସ୍ଥାପନ କରିଥିଲା । ଏହାପରେ ଓଡ଼ିଶା ପକ୍ଷରୁ ଆନ୍ଧ୍ରର ଉଦ୍ୟମକୁ ରୋକିବାରେ ସଫଳତା ମିଳିଥିବା ନେଇ ଆଶ୍ୱସ୍ତି ପ୍ରକାଶ କରାଯାଇଥିଲା । କିନ୍ତୁ ପ୍ରକୃତ ଚିତ୍ର ଆସିଥିଲା ମତଦାନ ପରେ । ସମସ୍ତଙ୍କୁ ଚକ୍ମା ଦେଇ ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ଦେଇ ଆନ୍ଧ୍ରର ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ କୋଟିଆର ଭୋଟର । ସୂଚନା ଅନୁସାରେ, ଆନ୍ଧ୍ରର ସାରିକା ଓ ଟୋନମ୍ ବୁଥ୍ରେ କୋଟିଆ ଅଞ୍ଚଳରୁ ୮୦୦ରୁ ଅଧିକ ଭୋଟର ମତଦାନ କରିଛନ୍ତି । ଏହି ଦୁଇଟି ବୁଥ୍ରେ ପ୍ରାୟ ୩୧ ପ୍ରତିଶତ ମତଦାନ ହୋଇଥିବା କୁହାଯାଉଛି । ଅର୍ଥାତ୍, କୋଟିଆରେ ବୁଥ୍ ସ୍ଥାପନକୁ ରୋକିବାରେ ଓଡ଼ିଶା ସଫଳ ହୋଇଥିଲେ ମଧ୍ୟ ଆନ୍ଧ୍ରରେ ମତଦାନ କରିବାକୁ ଯାଇଥିବା ଭୋଟରଙ୍କୁ ଅଟକାଇବା ସମ୍ଭବ ହୋଇନାହିଁ ।