Amazon, Swiggy Instamart ଏବଂ BigBasketର ଫୁଡ୍ ଲାଇସେନ୍ସ ସ୍ଥଗିତ, ଜାଣନ୍ତୁ କେଉଁଠି?

ଭୁବନେଶ୍ୱର,୨୫/୦୮:  ଅନଲାଇନ୍‌ରେ ବିଷାକ୍ତ ଦୁଦୁରା ବିକ୍ରିକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ । କର୍ଣ୍ଣାଟକରେ Amazon, Swiggy Instamart ଏବଂ BigBasketର ଫୁଡ୍ ଲାଇସେନ୍ସ ସ୍ଥଗିତ କରାଯାଇଛି । ମାନବ ଖାଦ୍ୟ ଭାବେ ଦୁଦୁରା ଫଳ ଓ ମଞ୍ଜି ଅନଲାଇନ୍‌ରେ ବିକ୍ରି ହେଉଥିବା ଅଭିଯୋଗ ପରେ ଏହି ପଦକ୍ଷେପ ନେଇଛି କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ବିଭାଗ । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ ବେଳେ ଅନଲାଇନ୍ ପ୍ଲାଟଫର୍ମରେ ଧତୁରା ଫଳ ଓ ମଞ୍ଜି ବିକ୍ରି ପାଇଁ ତାଲିକାଭୁକ୍ତ ଥିବା ଜଣାପଡ଼ିଥିଲା। କେତେକ ପ୍ୟାକେଟରେ ଫୁଡ୍ ଲାଇସେନ୍ସ କିମ୍ବା FSSAI ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ଥିଲା। ଏପରିକି କିଛି ଗୋଦାମରେ ଧତୁରା ଫଳ ଓ ମଞ୍ଜି ମହଜୁଦ ରଖାଯାଇଥିବା ତଦନ୍ତରେ ଜଣାପଡ଼ିଛି । ଧତୁରା ଏକ ବିଷାକ୍ତ ଉଦ୍ଭିଦ ଏବଂ ଏହାର ଫଳ ଓ ମଞ୍ଜି ମାନବ ଶରୀର ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ। ତେଣୁ ଏହାକୁ ଖାଦ୍ୟ ଭାବେ ବିକ୍ରି କିମ୍ବା ବଣ୍ଟନ କରିବା ନିୟମ ବିରୋଧୀ ବୋଲି ଖାଦ୍ୟ ସୁରକ୍ଷା ବିଭାଗ କହିଛି । ଏହି ମାମଲାରେ Amazon ପକ୍ଷରୁ ନୋଟିସର କୌଣସି ଉତ୍ତର ଦିଆଯାଇନଥିବା ବେଳେ, Swiggy Instamart ଅଧିକ ଦସ୍ତାବିଜ ଦାଖଲ ପାଇଁ ସମୟ ମାଗିଥିଲା। ଅନ୍ୟପଟେ BigBasket ଧତୁରା ବିକ୍ରି ବନ୍ଦ କରିଥିବା ଏବଂ ଭବିଷ୍ୟତରେ ପ୍ୟାକେଟରେ ‘Not for Human Consumption’ ଲେଖାଯିବ ବୋଲି ଜଣାଇଥିଲା। ତେବେ ବିଭାଗ ଏହି ସ୍ପଷ୍ଟୀକରଣକୁ ଯଥେଷ୍ଟ ମନେ କରିନାହିଁ । ଏହାପରେ ତିନୋଟି ପ୍ଲାଟଫର୍ମର ଫୁଡ୍ ଲାଇସେନ୍ସ ଓ ରେଜିଷ୍ଟ୍ରେସନ୍ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।

Leave a Reply

Your email address will not be published. Required fields are marked *