ଭୁବନେଶ୍ୱର,୨୭/୧୧: କଟକ ବାଲିଯାତ୍ରାରେ ବଡ଼ ଅଘଟଣ । ଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଦୋଳିରୁ ଖସିପଡ଼ିବା ପରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଯୁବକଙ୍କୁ ତୁରନ୍ତ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକ ଆଖି ବୁଜିଛନ୍ତି । ଅନ୍ୟ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବାଲିଯାତ୍ରା ଭଳି ଜନଗହଳିପୂର୍ଣ୍ଣ ମେଳାରେ ଏଭଳି ଅଘଟଣ ଦର୍ଶକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି । ପ୍ରତିଦିନ ହଜାର ହଜାର ଲୋକ ମେଳା ବୁଲିବାକୁ ଆସୁଥିବା ବେଳେ ଦୋଳିର ସୁରକ୍ଷା ଯାଞ୍ଚ ଓ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଛି କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି । ଚଳିତ ବର୍ଷ ପୁଣି ଦୋଳିରୁ ଦୁଇ ଜଣ ଖସିପଡ଼ିବା ଓ ଜଣେ ଯୁବକଙ୍କ ଜୀବନ ଯିବା ଘଟଣା ସେହି ପ୍ରଶ୍ନକୁ ଆହୁରି ଗମ୍ଭୀର କରିଛି । ଏତେ ବଡ଼ ମେଳାରେ ଦୋଳିର ସୁରକ୍ଷା ଯାଞ୍ଚ କିପରି ହେଉଛି ଏବଂ ଏଭଳି ଅଘଟଣ ରୋକିବା ପାଇଁ କି ବ୍ୟବସ୍ଥା ରହିଛି, ତାହା ଏବେ ଚର୍ଚ୍ଚାର ବିଷୟ ।