ସମ୍ବଲପୁରରେ ପୁଣି ମହାବଳ ବାଘ ଆତଙ୍କ, ପାଦଚିହ୍ନ ମିଳିବା ପରେ ଅଞ୍ଚଳବାସି ଭୟଭୀତ

ଭୁବନେଶ୍ୱର,୨୭/୧୧: ସମ୍ବଲପୁରରେ ପୁଣି ବାଘ ଆତଙ୍କ । ମାନେଶ୍ୱର ଓ ଧମା ଅଞ୍ଚଳରେ ବାଘକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକ । ସେହି ଅଞ୍ଚଳରେ ବୁଲୁଥିବା ବାଘଟି ମହାବଳ ବାଘ ହୋଇଥିବା ଆଶଙ୍କା କରାଯାଉଛି । ମୁଣ୍ଡେର-କିରିଟପାଲି ଜଙ୍ଗଲରୁ ବାଘର ପାଦଚିହ୍ନ ମିଳିବା ପରେ ଅଞ୍ଚଳରେ ଭୟ ଆହୁରି ବଢ଼ିଛି । ମିଳିଥିବା ପାଦଚିହ୍ନର ଲମ୍ବ ପ୍ରାୟ ୧୬ ସେଣ୍ଟିମିଟର ରହିଛି । ବନ ବିଭାଗ ଏହି ପାଦଚିହ୍ନର ଫଟୋ ଉଠାଇ ପର୍ଗ ମାର୍କ ଯାଞ୍ଚ କରୁଛି। ବାଘର ଉପସ୍ଥିତି ନେଇ ସୂଚନା ମିଳିବା ପରେ ସଦର ରେଞ୍ଜ ବନ ବିଭାଗ ପକ୍ଷରୁ ରାତିସାରା ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରାଯାଇଛି । ଏଥିସହ ବାଘର ଗତିବିଧି ଠାବ କରିବାକୁ ଖୋଜାଖୋଜି ଜାରି ରହିଛି । ଅନ୍ୟପଟେ ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି । ସେପଟେ ଦିନକ ପୂର୍ବରୁ ବୁର୍ଲା ଓ ଅତାବିରା ଅଞ୍ଚଳରେ ଦେଖାଯାଇଥିବା ବାଘର ପାଦଚିହ୍ନ ମହାବଳ ବାଘର ବୋଲି ସ୍ପଷ୍ଟ ହୋଇଛି । ଏବେ ମାନେଶ୍ୱର ଓ ଧମା ଅଞ୍ଚଳରେ ମିଳିଥିବା ପାଦଚିହ୍ନକୁ ନେଇ ମଧ୍ୟ ବନ ବିଭାଗ ଯାଞ୍ଚ କରୁଛି ।

 

Leave a Reply

Your email address will not be published. Required fields are marked *