ଭୁବନେଶ୍ୱର,୨୨/୧୧: ଓଡ଼ିଶାରେ ସମୁଦ୍ର ଉପକୂଳରେ ସ୍ଥାପନ ହେବ ଅତ୍ୟାଧୁନିକ ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା । ଏହାଦ୍ୱାରା ସାମୁଦ୍ରିକ ପାଣିପାଗ ସମ୍ପର୍କିତ ସଠିକ୍ ତଥ୍ୟ ମିଳିବା ସହ ବାତ୍ୟା ଓ ଅନ୍ୟ ସାମୁଦ୍ରିକ ବିପର୍ଯ୍ୟୟର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ମିଳିପାରିବ । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହା ସହିତ ଜାତୀୟ ମହାସାଗର ସୂଚନା କେନ୍ଦ୍ର ବା ଇନ୍କୋଇସ୍ (INCOIS)ର ଏକ ଆଞ୍ଚଳିକ କେନ୍ଦ୍ର ମଧ୍ୟ ଓଡ଼ିଶାରେ ପ୍ରତିଷ୍ଠା କରାଯିବ ।
ଏହି ନୂତନ ବ୍ୟବସ୍ଥା ଉପକୂଳ ଅଞ୍ଚଳରେ ସମୁଦ୍ରର ସ୍ଥିତି ଓ ପାଣିପାଗ ସମ୍ପର୍କିତ ତଥ୍ୟ ଯୋଗାଇବ । ସାମୁଦ୍ରିକ ବିପର୍ଯ୍ୟୟର ପୂର୍ବାନୁମାନ ସହ ଆଗୁଆ ସଙ୍କେତ ଦେବାରେ ଏହା ସହାୟକ ହେବ । ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଖୁବ୍ଶୀଘ୍ର ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନସ୍ଥ ଇନ୍କୋଇସ୍ ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷର ହେବ । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଉପକୂଳ ସୁରକ୍ଷା ଓ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ଆଶା କରାଯାଉଛି ।