ଭୁବନେଶ୍ୱର,୨୦/୧୧: ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା । ଉପକୂଳ ଓଡ଼ିଶା ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବିଶେଷକରି ଗୋପାଳପୁରରେ ସର୍ବାଧିକ ବର୍ଷା ହୋଇଥିବା ଜଣାପଡ଼ିଛି । ଏଠାରେ ୧୮୯.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଅନ୍ୟ ଅଞ୍ଚଳ ତୁଳନାରେ ସର୍ବାଧିକ ।ସେହିପରି ଚାନ୍ଦବାଲିରେ ୧୧୪ ମିଲିମିଟର ବର୍ଷା ହୋଇଥିବା ବେଳେ ପାରାଦୀପରେ ୯୩ ମିଲିମିଟର ଏବଂ ପୁରୀରେ ୭୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାବ୍ୟତୀତ ରାଜନଗରରେ ୮୨ ମିଲିମିଟର, ପଟ୍ଟାମୁଣ୍ଡାଇରେ ୭୬ ମିଲିମିଟର ଏବଂ ଜି.ଉଦୟଗିରିରେ ୭୫ ମିଲିମିଟର ବର୍ଷା ହୋଇଛି ।ସେହିପରି ରାଜକନିକାରେ ୭୦ ମିଲିମିଟର ଏବଂ ଆଳିରେ ୬୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାତ୍ୟା ପ୍ରଭାବରେ ଏହିସବୁ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ତେବେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳ ଜମିବା ଏବଂ ଯାତାୟାତରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ପାଣିପାଗ ସ୍ଥିତି ଉପରେ ନଜର ରଖିବା ସହ ପ୍ରଶାସନର ସତର୍କ ସୂଚନା ମାନିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି ।