ଭୁବନେଶ୍ୱର,୧୯/୧୧: ଭୀଷଣ ବାତ୍ୟା ଅକଭାନର ମୁକାବିଲା ପାଇଁ ଆକ୍ସନ୍ ମୋଡ୍କୁ ଆସିଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ବର୍ଷାଜନିତ ସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକଙ୍କ ଜୀବନ ରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବିପଦସଙ୍କୁଳ ଅଞ୍ଚଳରୁ ସ୍ଥାନାନ୍ତରଣ ଉପରେ ଫୋକସ୍ କରିଛନ୍ତି ସରକାର । ବିଶେଷକରି ପାହାଡ଼ିଆ ଅଞ୍ଚଳ ଓ ପାହାଡ଼ ତଳେ ରହୁଥିବା ଲୋକଙ୍କ ସୁରକ୍ଷାକୁ ଦିଆଯାଇଛି ଗୁରୁତ୍ୱ ।ଏନେଇ SRCଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଛି। ବୈଠକରେ ୧୦ରୁ ଅଧିକ ବିଭାଗର ଅତିରିକ୍ତ ସଚିବ ଓ ପ୍ରମୁଖ ସଚିବଙ୍କ ସମେତ IMD ଭୁବନେଶ୍ୱର ନିର୍ଦ୍ଦେଶିକା, ପୋଲିସ ADG, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଅଗ୍ନିଶମ ସେବା ଡିଜି ଉପସ୍ଥିତ ଥିଲେ ।
ବାତ୍ୟା ‘ଅକଭାନ୍’ ପ୍ରଭାବରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଥିପାଇଁ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି। ଗର୍ଭବତୀ ମହିଳା, ଗୁରୁତର ରୋଗୀ ଓ ଅସହାୟ ବର୍ଗଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ବାତ୍ୟା ମୁକାବିଲା ପାଇଁ ୬୦ଟି ଓଡ୍ରାଫ୍ ଟିମ୍ ଓ ୧୪ଟି NDRF ଟିମ୍କୁ ପ୍ରସ୍ତୁତ ରଖାଯାଇଛି।