ଭୁବନେଶ୍ୱର,୧୮/୧୧: ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ସାମୁଦ୍ରିକ ଝଡ଼ ‘ଅକଭାନ୍’ । ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍କୁ ନେଇ ଆସିଛି ବଡ଼ ଅପଡେଟ୍ । ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁର ଓ ପୁରୀ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ବାତ୍ୟା । ସେତେବେଳେ ଏହା ଏକ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନ ୧୧୦ କିଲୋମିଟର ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ବର୍ତ୍ତମାନ ଏହା ଚେନ୍ନାଇଠାରୁ ୫୭୦ କିଲୋମିଟର ପୂର୍ବରେ, ବିଶାଖାପାଟଣାଠାରୁ ୫୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, ମଚ୍ଛଲିପଟନମ୍ଠାରୁ ୫୯୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି। ସେହିପରି ଶ୍ରୀଲଙ୍କାର ତ୍ରିନକୋମାଲିଠାରୁ ୬୬୦ କିଲୋମିଟର ଉତ୍ତର-ପୂର୍ବରେ, ଗୋପାଳପୁରଠାରୁ ୭୧୦ କିଲୋମିଟର ଦକ୍ଷିଣରେ ଏବଂ ପୁରୀଠାରୁ ୭୭୦ କିଲୋମିଟର ଦକ୍ଷିଣରେ ରହିଛି ବାତ୍ୟା । ଆଇଏମ୍ଡିର ଆକଳନ ଅନୁସାରେ, ବାତ୍ୟା ଆଗକୁ ମଧ୍ୟ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖିବ । ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁର ଓ ପୁରୀ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ୟାନମ୍ ସହ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ତେଣୁ ବାତ୍ୟାର ପ୍ରଭାବ ଆନ୍ଧ୍ରପ୍ରଦେଶ ସହ ଓଡ଼ିଶା ଉପକୂଳରେ ମଧ୍ୟ ଅନୁଭୂତ ହୋଇପାରେ ।