ଆଜି ପବିତ୍ର ଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ଚାଲିଛି ମା’ ରାଧାରାଣୀଙ୍କ ପାଦ ଦର୍ଶନ

ଭୁବନେଶ୍ୱର,୧୮/୧୧: ଆଜି ପବିତ୍ର ଅଁଳା ନବମୀ। ପୁରୀ ଜିଲ୍ଲାର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଚାଲିଛି ମା’ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ। ଓଡ଼ିଆଣୀ ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ରାଧାରାଣୀ। କାଣିଆଁ କଛା ମାରି ମଠା ବସ୍ତ୍ର ପରିଧାନ କରିଛନ୍ତି ମା’। ସେପଟେ ନଟବର ବେଶରେ ସଜେଇ ହୋଇଛନ୍ତି ପ୍ରଭୁ ଶ୍ରୀକୃଷ୍ଣ। ମା’ଙ୍କ ଦୁର୍ଲଭ ବେଶ ଓ ପାଦପଦ୍ମ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଜମିଛି ଲକ୍ଷାଧିକ ଭକ୍ତଙ୍କ ସମାଗମ। ଲମ୍ବା ଧାଡ଼ିରେ ଯାଇ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ପାଦ ଦର୍ଶନ କରୁଛନ୍ତି। ମା’ଙ୍କ ପାଦପଦ୍ମ ଦର୍ଶନ କରି କୋଟି ଜନ୍ମର ପୁଣ୍ୟ ମିଳିବାର ବିଶ୍ୱାସ ଅଛି । ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ମନ୍ଦିର ପରିସରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଶତାଧିକ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି। ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୧ଟାରେ ମନ୍ଦିର ଦ୍ୱାର ଫିଟା ନୀତି ପରେ ମଙ୍ଗଳ ଆଳତି, ବେଶ, ମଇଲମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ ଓ ବାଳଭୋଗ ଆଦି ନୀତି ସମ୍ପନ୍ନ ହୋଇଥିଲା। ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ପ୍ରଥମେ ସେବାୟତ ଓ କର୍ମଚାରୀଙ୍କ ପରିବାର ମା’ଙ୍କ ଦର୍ଶନ କରିଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ସକାଳ ୬ଟାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *