ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ଅକ୍‌ଭାନ୍‌,ଏଇଠି କରିବ ଲ୍ୟାଣ୍ଡଫଲ

ଭୁବନେଶ୍ୱର, ୧୮/୧୧: ବଙ୍ଗୋପସାଗରରେ ରହିଥିବା ବାତ୍ୟା ‘ଅକ୍‌ଭାନ୍‌’ ଭୀଷଣ ରୂପ ଧାରଣ କରୁଛି।  ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅତିଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।୨୦ ତାରିଖ ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ନେଲୋର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ରହିପାରେ। ମଝିରେ ମଝିରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେବେ ‘ଅକ୍‌ଭାନ୍‌’ କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ପ୍ରଥମେ କୁହାଯାଉଥିଲା ଯେ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ର‌ଦେଶ ମଝିରେ ସ୍ଥଳଭାଗ ଛୁଇଁବ । ପରବର୍ତ୍ତୀ ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳମୁହାଁ ହେବ ବୋଲି କେତେକ ବିଶ୍ବସ୍ତରୀୟ ମଡେଲ୍‌ ପୂର୍ବାନୁମାନ କରିଥିଲେ ।

ଏପରିକି ଆଇଏମ୍‌ଡି ଆକଳନ କରିଥିଲା ଯେ ଏହା ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ଉପକୂଳ ଅତିକ୍ରମ କରିବ । ମାତ୍ର ମଙ୍ଗଳବାର ସନ୍ଧ୍ୟାରେ ଜାରି ବୁଲେଟିନ୍‌ ଅନୁଯାୟୀ ବାତ୍ୟା ଆନ୍ଧ୍ରପ୍ରଦେଶର ନେଲୋର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗକୁ ସ୍ପର୍ଶ କରିବ। ଅର୍ଥାତ୍‌ ବାତ୍ୟା ଉତ୍ତର ଦିଗକୁ ଅଗ୍ରସର ହେଉଛି। ତେଣୁ ଓଡ଼ିଶା ଆଡ଼କୁ ଆସିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଏପରିକି ଆନ୍ଧ୍ରରେ ବାତ୍ୟା ମାଡ଼ ହେଲେ ମଧ୍ୟ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୭୦ କିମି ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *